ଭୁବନେଶ୍ୱର, ୨୨/୦୮ : ପ୍ରତିବର୍ଷ ପରି ଚଳିତବର୍ଷ ମହିୟସୀ ମହିଳା ତଥା କିସ୍ ଏବଂ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମାଆ ନୀଳିମାରାଣୀ ସାମନ୍ତଙ୍କ ଜୟନ୍ତୀ କିଟ ବିଶ୍ବବିଦ୍ୟାଳୟ ଓ ଜନ୍ମ ସ୍ଥାନ ଆଦର୍ଶ ଗ୍ରାମ କଲରାବାଙ୍କରେ ପାଳିତ ହୋଇଯାଇଛି । ଏହି ଅବସରରେ କିଟ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିଟ ପରିସରରେ ମାଆ ନୀଳିମାରାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମାଆଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ କିଟ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ତଥା ଉପକୁଳପତି ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ପ୍ରଫେସର ସିବିକେ ମହାନ୍ତି, କିମସ ମେଡିକାଲ କଲେଜ ଅଧ୍ୟକ୍ଷ ଡା ଆର.ସି ଦାସ, କିମସ ମେଡ଼ିକାଲ ଅଧିକ୍ଷକ ଡା ମାନସ ବେହେରାଙ୍କ ସମେତ କିଟ, କିସ ଓ କିମସର ବରିଷ୍ଠ ପଦଧିକାରୀମାନେ ଉପସ୍ଥିତ ରହି ନୀଳିମାରାଣୀଙ୍କ ସ୍ମୃତି ଚାରଣ କରିଥିଲେ । ଅତି ଦାରିଦ୍ର୍ୟ ଭିତରେ ରହି ମଧ୍ୟ ନୀଳିମାରାଣୀ ଜଣେ ଅତ୍ୟନ୍ତ ପରୋପକାରୀ, ଧର୍ମପରାୟଣ ଓ ସମାଜମନସ୍କ ମହିଳା ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ଏନେଇ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ନୀଳିମାରାଣୀ ସାମନ୍ତଙ୍କ ଜୟନ୍ତୀ ଉପଲକ୍ଷେ ଆଜି ଜନ୍ମସ୍ଥାନ କଲରାବାଙ୍କ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆଜି କଲରାବାଙ୍କ କିମସ ରୁରାଲ ହସପିଟାଲ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।