ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାର ପାଳନ ହେବ ଗରିମା ଦିବସ 

ଭୁବନେଶ୍ୱର, ୨୨/୦୮ : ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର, ସୁରକ୍ଷିତ ପରିବେଶ ଏବଂ ଯେଉଁ ଲୋକମାନେ ଏହି ସ୍ୱଚ୍ଛତାକୁ ନିଶ୍ଚିତ କରୁଛନ୍ତି, ସେମାନଙ୍କ ସୁରକ୍ଷିତ ଜୀବନ ଏକାନ୍ତ ଅପରିହାର୍ଯ୍ୟ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗରିମା ଦିବସ-୨୦୨୬ ଅବସରରେ କହିଛନ୍ତି । ଶନିବାର ଲୋକସେବା ଭବନ କନଭେନସନ୍‌ ସେଣ୍ଟରଠାରେ ଗରିମା ଦିବସ ଅବସରରେ ଆଜି ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ମିଶନ୍ ଜିରୋ ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ । ଏହି କର୍ମଶାଳାରେ ୮ଟି ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ଥିବା ବିଶେଷଜ୍ଞ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଦିବସଟି ସଫେଇ କର୍ମୀଙ୍କୁ ଜୀବନକୁ ସୁରକ୍ଷିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ସମାଜରେ ସେମାନଙ୍କ ମର୍ଯ୍ୟାଦା ବୃଦ୍ଧି ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉପସ୍ଥିତ ବିଶେଷଜ୍ଞ, ଅଧିକାରୀ ଓ ପରିମଳ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ ଅଗଷ୍ଟ ୧୫ରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସ୍ୱଚ୍ଛତା ଭାରତର ଜାତୀୟ ବିକାଶର ପରିସୀମାଭୁକ୍ତ ହୋଇଥିଲା । ମୋଦୀ ଜୀଙ୍କ ନେତୃତ୍ୱରେ ସ୍ୱଚ୍ଛତା ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ନିଜେ ହାତରେ ଝାଡୁ ଧରି ସଫେଇ କର୍ମୀଙ୍କ ସାମାଜିକ ଉତ୍‌ଥାନର ପ୍ରତୀକ ସାଜିଲେ ଏବଂ ଦେଶବାସୀଙ୍କୁ ସନ୍ଦେଶ ଦେଲେ ‘ସ୍ୱଚ୍ଛତା କୌଣସି ଛୋଟ କାମ ନୁହେଁ, ସ୍ୱଚ୍ଛତା ହେଉଛି ରାଷ୍ଟ୍ର ନିର୍ମାଣର କାମ’ ।

ସେହିପରି ମୁଖ୍ୟମନ୍ତ୍ରୀ ଉପସ୍ଥିତ ବିଶେଷଜ୍ଞ ଓ ମେସିନ ନିର୍ମାତାଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ଭାରତ ସରକାରଙ୍କ ନମସ୍ତେ ଯୋଜନା ଜରିଆରେ ସଫେଇ କ୍ଷେତ୍ରରେ ମେସିନ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ସଫେଇ କର୍ମୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ବିପଦ୍‌ଜନକ ସଫେଇ କାର୍ଯ୍ୟରେ ମେସିନ ବ୍ୟବହାର କରିବାକୁ ପଡ଼ିବ । ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସୁଦକ୍ଷ କରିବାକୁ ପଡ଼ିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସଫେଇ କର୍ମୀ ସ୍ୱର୍ଗତ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିଛନ୍ତି । ସରକାରଙ୍କ ଲକ୍ଷ୍ୟ ମୃତ୍ୟୁ ପରେ ସହାୟତା ନୁହେଁ, ମୃତ୍ୟୁ ପୂର୍ବରୁ ସୁରକ୍ଷା । ବିପଦପୂର୍ଣ୍ଣ କାର୍ଯ୍ୟରତ ଆମର ଏହି କର୍ମଯୋଗୀ ମାନଙ୍କ ଜୀବନ ସୁରକ୍ଷିତ ରହୁ । ଏହା ହିଁ ହେଉଛି, ମିଶନ ଜିରୋର ଆଭିମୁଖ୍ୟ ବୋଲି ସେ କହିଥିଲେ ।

ଗରିମା ଦିବସ ଉପଲକ୍ଷେ ଆଧୁନିକ ଟେକ୍ନୋଲୋଜିଯୁକ୍ତ ମେସିନ ବ୍ୟବହାର ଓ ସୁରକ୍ଷା ଉପକରଣ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ବୁଲି ଦେଖିଥିଲେ । ସଫେଇ କର୍ମୀଙ୍କୁ ବାସଗୃହ ପାଇଁ ୱାର୍କ ଅର୍ଡର ପ୍ରଦାନ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ସ୍ୱଚ୍ଛ ସାଥୀ ମାନଙ୍କ ଯୋଗୁ ଆମେ ସ୍ୱଚ୍ଛ ଅଛୁ । ସହର ସ୍ୱଚ୍ଛ ଅଛି ଓ ରାଜ୍ୟ ଆଗକୁ ବଢ଼ୁଛି । ଜିରୋ ଫାଟାଲିଟି ଆମ ପାଇଁ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଆମ ପାଇଁ ଏକ ସଂକଳ୍ପ । ସଫେଇ କର୍ମୀଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ଆମେ ତାହା ନିଶ୍ଚୟ କରିବୁ ବୋଲି ସେ କହିଥିଲେ ।

ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟର’ର ନିର୍ଦ୍ଦେଶିକା ମନ୍ୱିତା ବରାଡ଼ି ସଫେଇ କର୍ମୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଂଶସା କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଏବଂ ନିର୍ଦ୍ଦେଶକ, ପୌର ପ୍ରଶାସନ ଅରିନ୍ଦମ ଡାକୁଆ ଧନ୍ୟବାଦ ଅର୍ପଣ କରିଛନ୍ତି ।