ବାଙ୍ଗାଲୋର : ସାମାନ୍ୟ ଅପରାଧ ପାଇଁ ଜଣେ ବିଦେଶୀ ନାରଗରିକଙ୍କୁ ୧୯ ଦିନର ଜେଲ୍ ଦଣ୍ଡ ମହଙ୍ଗା ପଡିଛି କର୍ଣ୍ଣାଟକ ପୁଲିସକୁ । ସଂପୃକ୍ତ ବିଦେଶୀ ନାଗରିକଙ୍କୁ କ୍ଷତିପୂରଣ ବାବଦରେ ୭୫,୦୦୦ ଟଙ୍କା ଦେବାକୁ କର୍ଣ୍ଣାଟକ ରାଜ୍ୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ୨୦୧୯ ମସିହାରେ ହିରୋତୋସି ତାନକା ନାମକ ଜଣେ ଜାପାନୀ ନାଗରିକ ଇଂରାଜୀ ଭାଷା ଶିଖିବାକୁ ଭାରତ ଆସିଥିଲେ । ସେ ବାଙ୍ଗାଲୋର ସହରରେ ଥିବା ଏକ ଘରୋଇ ଅନୁଷ୍ଠାନରେ ନାମ ଲେଖାଇଥିଲେ । ତେବେ ସେଠାରେ ପାଠ ପଢା ଠିକ୍ ଭାବେ ନ ହେବାରୁ ଅନୁଷ୍ଠାନର କର୍ମକର୍ତାଙ୍କ ସହ ତନକାଙ୍କର ଯୁକ୍ତିତର୍କ, ପାଟିତୁଣ୍ଡ ପରେ ମାଡ଼ପିଟ ମଧ୍ୟ ହୋଇଥିଲା । ଅନୁଷ୍ଠାନର କର୍ମକର୍ତାଙ୍କ ଅଭିଯୋଗ କ୍ରମେ ତନକାଙ୍କ ନାମରେ ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଥିଲା ।
ଜେଲ୍ରେ ୧୯ ଦିନ ରହିବା ପରେ ତାଙ୍କୁ ମୁକ୍ତ କରାଯାଇ ସ୍ୱଦେଶ ପଠାଇ ଦିଆଯାଇଥିଲା । ତେବେ ଯେଉଁ ଅପରାଧରେ ପୁଲିସ ତାଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଥିଲା, ତାହା ଜାମିନ ଯୋଗ୍ୟ ଥିଲା । ଏହା ସତ୍ୱେ ତାଙ୍କୁ ଜେଲ୍ ଦଣ୍ଡ ଦିଆଯାଇଥିବାରୁ ତାଙ୍କ ମାନବିକ ଅଧିକାର କ୍ଷୂଣ୍ଣ ହୋଇଥିବା ନେଇ ତନକା ତାଙ୍କ ଓକିଲଙ୍କ ଜରିଆରେ କର୍ଣ୍ଣାଟକ ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ କରିଥିଲେ । ମାମଲା ଶୁଣାଣି କରି କମିଶନ ରାଜ୍ୟ ପୋଲିସକୁ ଏଥିପାଇଁ ଦୋଷୀ ସାବ୍ୟସ୍ତ କରିବା ସହ କ୍ଷତିପୂରଣ ବାବଦରେ ୭୫,୦୦୦ ଟଙ୍କା ତନକାଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ତନକାଙ୍କ ଓକିଲ କହିଛନ୍ତି ।