ଇମ୍ରାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବା ପାଇଁ ପାକ୍ ସରକାରଙ୍କୁ ଚିଠି ଲେଖିଲେ ୨୧ ପୂର୍ବତନ କ୍ୟାପ୍‌ଟେନ !

ମୁମ୍ବାଇ : ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ୟାପ୍‌ଟେନ ଇମ୍ରାନ ଖାଁ ଙ୍କ ପାଇଁ ଏବେ ଅଂଟା ଭିଡ଼ିଛନ୍ତି ତାଙ୍କ ସମସାମୟିକ ଅନ୍ତର୍ଜାତୀୟ କ୍ରିକେଟ କ୍ୟାପ୍‌ଟେନଗଣ । ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଏକ ସ୍ୱାଧୀନ ସଂସ୍ଥାକୁ ଦାୟିତ୍ୱ ଦେବାକୁ ଏହି ପୂର୍ବତନ କ୍ୟାପ୍‌ଟେନମାନେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ମର୍ମରେ ଲେଖା ଯାଇଥିବା ଏକ ଚିଠିରେ ବର୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୧ ଜଣ ଅନ୍ତର୍ଜାତୀୟ କ୍ୟାପଟେନ ସ୍ୱାକ୍ଷର କରିସାରିଲେଣି । ସେମାନଙ୍କ ମଧ୍ୟରେ ଭାରତର କିମ୍ବଦନ୍ତୀ ଖେଳାଳୀ ତଥା ପୂର୍ବତନ କ୍ୟପ୍‌ଟେନ ସୁନୀଲ ଗାଭାସ୍କର, କପିଲ ଦେବ, ଦିଲ୍ଲୀପ ଭେଙ୍ଗସରକାର, ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍‌ଟେନ ଗ୍ରେଗ୍ ଚାପେଲ, ଆଲାନ ବର୍ଡର, ୱେଷ୍ଟଇଣ୍ଡିଜର ପୂର୍ବତନ କ୍ୟାପ୍‌ଟେନ କ୍ଲାଇଭ ଲଏଡ୍‌, ଆଲେଷ୍ଟର କୁକ୍ ଆଦି ଅନ୍ତର୍ଭୁକ୍ତ ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଭାରତର ପୂର୍ବତନ ଅଧିନାୟକ କପିଲ ଦେବ କହିଛନ୍ତି, ‘ଇମ୍ରାନ ହେଉଛନ୍ତି ପାକିସ୍ତାନର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜଣେ ମହାନ କ୍ରିକେଟର । ତେଣୁ ତାଙ୍କର ଉତମ ଚିକିତ୍ସା ସମସ୍ତଙ୍କ ଦାୟିତ୍ୱ । ତାଙ୍କ ଦ୍ୱାରା କ’ଣ ଅପରାଧ ହୋଇଛି ବା ସେ କଣ ଭୁଲ୍ କରିଛନ୍ତି, ତାହା ଭିନ୍ନ କଥା । ବର୍ତମାନର ଆହ୍ୱାନ ହେଉଛି ସେ ଅସୁସ୍ଥ । ତେଣୁ ତାଙ୍କୁ ପ୍ରଥମେ ଉତମ ଚିକିତ୍ସା ଯୋଗାଇଦେବା ଆମ ସମସ୍ତଙ୍କର ଲକ୍ଷ୍ୟ । ତାଙ୍କ ସହ ଏକଦା ଖେଳିଥିବା ଆମେ ପୂର୍ବତନ ଖେଳାଳିଗଣ ସରକାରଙ୍କୁ ଅନୁରୋଧ କରୁଛୁ ଯେ, ଇମ୍ରାନଙ୍କୁ ବାହାରର କୌଣସି ଭଲ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା କରାଯାଉ ।

ଏଠାରେ ସୂଚନା ଦିଆଯାଇପାରେ ଯେ, ଦୁର୍ନୀତି ଅଭିଯୋଗରେ ପାକିସ୍ତାନ ବିରୋଧୀ ଦଳ ତେହରିକ୍‌–ଇ-ଇନସାଫ୍‌ର ପ୍ରତିଷ୍ଠାତା ତଥା ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗତ ୨୦୨୩ ଅଗଷ୍ଟରୁ ଗିରଫ କରାଯାଇ ଆଦିଆଲା କାରାଗାରରେ ବନ୍ଦୀ କରି ରଖାଯାଇଛି । ଜେଲ୍‌ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାକୁ ନେଇ ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ୨ ଦିନ ତଳେ ତାଙ୍କୁ ସ୍ଥାନୀୟ ସିଫା ଇଂଟରନ୍ୟାସନାଲ ହସ୍ପିଟାଲକୁ ନିଆଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯିବା ସହ ତାଙ୍କୁ ପୁଣିଥରେ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା । ଇମ୍ରାନଙ୍କ ପ୍ରତି ପାକିସ୍ତାନ ସରକାରଙ୍କ ଏଭଳି କଠୋର ଆଭିମୁଖ୍ୟକୁ ଅନ୍ତର୍ଜାତୀୟ ଖେଳାଳିମାନେ ନାପସନ୍ଦ କରିଛନ୍ତି । ‘ଇମ୍ରାନ ଯାହା ବି ଅପରାଧ କରିଛନ୍ତି ତାହାର ତଦନ୍ତ ହେଉ । କିନ୍ତୁ ପ୍ରଥମେ ତାଙ୍କୁ କୌଣସି ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟାନୁଷ୍ଠାନରେ ଉପଯୁକ୍ତ ଚିକିତ୍ସା କରାଯିବାକୁ ଅନୁମତି ଦିଆଯାଉ ବୋଲି ଆମେ ଖୋଳାଳିଗଣ, ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛୁ ।’ ଏକଥା କହିଛନ୍ତି ଭାରତର ଏହି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ।