ନେପାଳରେ ପୁଣି ବନ୍ୟା ଆତଙ୍କ, ସତର୍କତା ଜାରି କରିଛି NDRRMA

ନୂଆଦିଲ୍ଲୀ, ୩୦/୦୮ : ନେପାଳରେ ବନ୍ୟା ବିପର୍ଯ୍ୟୟ ଏବେ ଭୟଙ୍କର ରୂପ ନେଇଛି । ପ୍ରାୟ ୭୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି । ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାରକାରୀ ଦଳର ଅଭିଯାନ ଜାରି ରହିଛି । ଏହାରି ମଧ୍ୟରେ ନେପାଳରେ ପୁଣିଥରେ ଭୟଙ୍କର ବନ୍ୟା ଚେତାବନୀ ଜାରି ହୋଇଛି । ତିବ୍ବତୀୟ ପର୍ବତମାଳାରେ ହିମବାହ ଭାଙ୍ଗିବା ପରେ ବିପୁଳ ପରିମାଣର ପାଣି, ଭଗ୍ନାବଶେଷ ଓ ବଡ଼ ବଡ଼ ପଥର ତଳ ଅଞ୍ଚଳକୁ ମାଡ଼ି ଆସିଥିଲା। ଏବେ ପୁଣି ତିବ୍ବତ ଅଞ୍ଚଳରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ନେପାଳର ନଦୀକୂଳିଆ ଅଞ୍ଚଳରେ ବଡ଼ ବିପଦ ଆଶଙ୍କା କରାଯାଉଛି । ରସୁୱା ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଭୋଟେ କୋଶି ନଦୀରେ ପ୍ରବଳ ବନ୍ୟା ଆସିଛି । ରସୁୱା, ନୁୱାକୋଟ ଓ ଧାଡିଙ୍ଗ ଅଞ୍ଚଳର ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେପଟେ ବନ୍ୟା ପରେ ୨୭୫ରୁ ଅଧିକ ଭାରତୀୟ ନିଖୋଜ ଥିବା ସୂଚନା ମିଳିଛି । ୧୦୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ବଂଶୋଦ୍ଭବ ୧୨୮ ଜଣ ମଧ୍ୟ ନିଖୋଜ ଅଛନ୍ତି । ଭାରତୀୟ ବାୟୁସେନାର C-130J ବିମାନ ଯୋଗେ ନେପାଳକୁ ୧୧ ଟନ୍ ରିଲିଫ୍ ସାମଗ୍ରୀର ଚତୁର୍ଥ ପଠାଣ ପଠାଯାଇଛି । ଏଥିରେ ସର୍ଚ୍ଚ ଓ ରେସ୍କ୍ୟୁ ଉପକରଣ, ଫରେନସିକ୍ ବିଶେଷଜ୍ଞ ଦଳ ଏବଂ DNA ବିଶ୍ଳେଷଣ ପାଇଁ ଆବଶ୍ୟକ ସାମଗ୍ରୀ ରହିଛି । ଏହାସହ ୨୩୦ ଫୁଟ୍‌ର ମଡ୍ୟୁଲାର୍ ଷ୍ଟିଲ୍ ବ୍ରିଜ୍ ନିର୍ମାଣ ପାଇଁ ୧୬ଟି ଟ୍ରକ୍‌ରେ ଉପକରଣ ନେପାଳରେ ପହଞ୍ଚିଛି । ଆହୁରି ୭ଟି ବେଲି ବ୍ରିଜ୍ ପାଇଁ ଉପକରଣ ଓ ବୈଷୟିକ ଦଳ ମଧ୍ୟ ପଠାଯିବ । ବିପର୍ଯ୍ୟୟର ଏହି କଠିନ ସମୟରେ ନେପାଳ ପାଇଁ ଭାରତର ସହାୟତା ଜାରି ରହିଛି । ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ମୋଟ ୬୮.୫ ଟନ୍ ରିଲିଫ୍ ସାମଗ୍ରୀ ନେପାଳକୁ ପଠାଯାଇଛି ।