ନୂଆଦିଲ୍ଲୀ, ୩୦/୦୮ : ଶୁଦ୍ଧିକରଣ ପ୍ରସଙ୍ଗକୁ ନେଇ ବିଜେପି ଓ ଆରଏସଏସକୁ ଟାର୍ଗେଟ୍ କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଦଳିତଙ୍କ ବିରୋଧରେ ଭେଦଭାବ ଏବଂ ଅତ୍ୟାଚାର ଜାରି ରହିଥିବା ଅଭିଯୋଗ କରି ସେ କେନ୍ଦ୍ର ସରକାର ଉପରେ ମଧ୍ୟ ତୀବ୍ର ଆକ୍ରମଣ କରିଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ସାମ୍ବିଧାନିକ ସୁରକ୍ଷା ଓ ଆଇନ ଥିବା ସତ୍ତ୍ୱେ ଦଳିତ ସମ୍ପ୍ରଦାୟ ଆଜି ବି ଭେଦଭାବର ସାମ୍ନା କରୁଛନ୍ତି। ଦେଶରେ ଦୁଇ ପ୍ରକାର ମାନସିକତା ମଧ୍ୟରେ ଲଢ଼େଇ ଚାଲିଥିବା ସେ ଦାବି କରିଛନ୍ତି। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ଦୁଇଟି ବିପରୀତ ବିଚାରଧାରା ମଧ୍ୟରେ ସଂଗ୍ରାମ ଚାଲିଛି। ଗୋଟିଏ ପଟେ ସମ୍ବିଧାନର ବିଚାରଧାରା ଥିବା ବେଳେ ଅନ୍ୟପଟେ ବିଜେପି-ଆରଏସଏସର ବିଚାରଧାରା ରହିଛି। ସମ୍ବିଧାନ ଦଳିତଙ୍କ ପ୍ରତି ଅତ୍ୟାଚାର ଓ ଭେଦଭାବକୁ ବେଆଇନ ଘୋଷଣା କରିଥିଲେ ସୁଦ୍ଧା ଆଜି ମଧ୍ୟ ଅନେକ ବିଦ୍ୟାଳୟରେ ଦଳିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶୌଚାଳୟ ସଫା କରାଯାଉଛି ଏବଂ ସେମାନଙ୍କ ଦ୍ୱାରା ଝାଡ଼ୁ-ପୋଛା ମରାଯାଉଛି। ଏହା କୋମଳମତି ଶିଶୁଙ୍କ ମାନସିକତା ଉପରେ ଗଭୀର କୁପ୍ରଭାବ ପକାଉଛି। ଏହା ବ୍ୟତୀତ ଗ୍ରାମାଞ୍ଚଳରେ ଦଳିତମାନଙ୍କୁ ସାଧାରଣ କୂଅରୁ ପାଣି ପିଇବାକୁ ଦିଆଯାଉନାହିଁ ଏବଂ ଉତ୍ତର ଭାରତର ବିଭିନ୍ନ ଗ୍ରାମ ଓ ସହରରେ ଥିବା ଚା’ ଦୋକାନଗୁଡ଼ିକରେ ଦୁଇ ପ୍ରକାରର କପ୍ ବ୍ୟବହାର କରାଯାଉଛି। ଅନ୍ୟ ବର୍ଗର ଲୋକଙ୍କ ପାଇଁ କାଚ ଗ୍ଲାସ୍ ରଖାଯାଉଛି, ଯାହାକୁ ଧୋଇ ପୁନଃ ବ୍ୟବହାର କରାଯାଏ। ମାତ୍ର ଦଳିତମାନଙ୍କ ପାଇଁ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ କିମ୍ବା କାଗଜ କପ୍ ବ୍ୟବହାର ହେଉଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି। ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ରାଲି ପରେ ସେଠାରେ କରାଯାଇଥିବା ‘ଶୁଦ୍ଧିକରଣ’ ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି ଯେ, ଏହା ସିଧାସଳଖ ଅସ୍ପୃଶ୍ୟତାକୁ ପ୍ରଶ୍ରୟ ଦେଉଛି। ସମ୍ବିଧାନ ଅନୁଯାୟୀ ଏହା ଏକ ଅପରାଧ। ଏହି ଘଟଣାରେ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଏଫଆଇଆର କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି କରିଛନ୍ତି। ବିଜେପିର ନୂତନ ସଂଗଠନ ପରିବର୍ତ୍ତନ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ, କଂଗ୍ରେସ ଦଳର ଲଢ଼େଇ କୌଣସି ପଦପଦବୀ ବିରୋଧରେ ନୁହେଁ, ବରଂ ବିଚାରଧାରା ଏବଂ ଦେଶର ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ। ବିଜେପି ନିଜ ସଂଗଠନରେ ଯାହାକୁ ଚାହିଁବ ଆଣିପାରେ, ଏଥିରେ କଂଗ୍ରେସର କିଛି ଫରକ ପଡ଼ିବ ନାହିଁ।ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଅଯଥାରେ ବିବାଦ ସୃଷ୍ଟି କରି ଚର୍ଚ୍ଚାରେ ରହିବାକୁ ଚାହୁଁଥିବା କହିଛନ୍ତି।