ଜେଲ୍‌ରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ଜେଲ୍‌ରୁ ବାହାରିଛନ୍ତି। ଓଡ଼ିଶା ହାଇକୋର୍ଟରୁ ଜାମିନ ମଞ୍ଜୁର ହେଲା ପରେ ଶ୍ରୀ ପଣ୍ଡା ଆଜି ସନ୍ଧ୍ୟାରେ ଜେଲ୍‌ରୁ ବାହାରିଛନ୍ତି। ଶ୍ରୀ ପଣ୍ଡା ଜେଲ୍‌ରୁ ବାହାରିବା ସମୟରେ ବିଜେଡିର କର୍ମୀମାନେ ତାଙ୍କୁ ସ୍ବାଗତ କରିଛନ୍ତି। ବିକ୍ରମ ପଣ୍ଡାଙ୍କ ପାଇଁ ଶୋଭାଯାତ୍ରାର ଆୟୋଜନ କରିଛନ୍ତି। ବିଜେଡି ନେତା ଏବଂ କର୍ମୀଙ୍କ ମହଲରେ ଖୁସିର ମାହୋଲ ଦେଖାଯାଇଛି।

ଜେଲ୍‌ରୁ ବାହାରିଲା ପରେ ବିକ୍ରମ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଭାବବିହ୍ବଳ ହୋଇ ସେ କହିଛନ୍ତି, ମୋତେ ନ୍ୟାୟ ମିଳିଛି। ଦଳ ପାଇଁ କାମ କରିଛି। ଗଂଜାମ ପାଇଁ କାମ କରିଛି। ବିଜେଡି ସୁପ୍ରିମୋଙ୍କ ମାର୍ଗଦର୍ଶନରେ ଆହୁରି କିଛି କାମ କରିବି।

ହାଇକୋର୍ଟ କହିଛନ୍ତି, ଶ୍ରୀ ପଣ୍ଡାଙ୍କୁ ଗିରଫଦାରୀର ଆଧାର/କାରଣ ସଂକ୍ରାନ୍ତରେ ଗିରଫ ବେଳେ ଅବଗତ କରାଯାଇ ନଥିଲା ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।

ଗିରଫ କରିଥିବା ଅଧିକାରୀ ଏହି ପ୍ରସଂଗରେ ଆଇନରେ ଥିବା ବ୍ୟବସ୍ଥା ପାଳନ କରି ନଥିଲେ। ସମ୍ବିଧାନର ଧାରା ୨୧(୧) ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୪୭ ଓ ୪୮ରେ ରହିଥିବା ବ୍ୟବସ୍ଥା ଅନୁସାରେ ତଥା ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଶ୍ରୀ ପଣ୍ଡାଙ୍କୁ ଗିରଫଦାରୀର କାରଣ ସଂକ୍ରାନ୍ତରେ ଅବଗତ କରାଯାଇ ନଥିଲା। ଏହା ସମ୍ବିଧାନର ଧାରା ୨୨(୧)ରେ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ହାଇକୋର୍ଟ କହିଛନ୍ତି। ଏପରି ଗିରଫଦାରୀ ଅବୈଧ ହୋଇଥିବାରୁ ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।