କିମ୍ସର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଡାକ ବିଭାଗର ସ୍ୱତନ୍ତ୍ର ସ୍ମାରକ ଡାକ କଭର ଉନ୍ମୋଚିତ

ଭୁବନେଶ୍ୱର,୧/୯ : କିମସର ୨୦ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଡାକ ବିଭାଗ ପକ୍ଷରୁ ସୋମବାର ଏକ ସ୍ୱତନ୍ତ୍ର ସ୍ମାରକ ଡାକ କଭର ଉନ୍ମୋଚନ କରାଯାଇଛି । ଚିକିତ୍ସା ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସମାଜସେବା କ୍ଷେତ୍ରରେ କିମସର ଦୁଇ ଦଶନ୍ଧିର ଅବଦାନକୁ ଏହି ସ୍ମାରକ ଆବରଣ ମାଧ୍ୟମରେ ସମ୍ମାନ ଜଣାଯାଇଛି ।

ଏହି ଅବସରରେ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ନିର୍ମଳଜିତ ସିଂହ ଡାକ୍ତର ଓ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକର ସମାଜ ପ୍ରତି ଅବଦାନକୁ ପ୍ରଶଂସା କରିଥିଲେ । ସେ ଡାକ୍ତରମାନଙ୍କୁ ‘ଦେଶ ଓ ଜନସାଧାରଣଙ୍କ ସେବାରେ ନିୟୋଜିତ ଦେବଦୂତ’ ଭାବେ ବର୍ଣ୍ଣନା କରିଥିଲେ । କିଟ୍‌, କିସ୍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଶ୍ରୀ ସାମନ୍ତଙ୍କ ଜୀବନ ଦେଶସେବା ପାଇଁ ସମର୍ପିତ ବୋଲି ଶ୍ରୀ ସିଂହ କହିଥିଲେ । ଭାରତୀୟ ଡାକ ବ୍ୟବସ୍ଥାର ବ୍ୟାପକତା ସଂପର୍କରେ ସେ କହିଲେ, ଦେଶରେ ପ୍ରାୟ ୧ ଲକ୍ଷ ୬୪ ହଜାର ଡାକଘର ରହିଛି, ଯାହା ବିଶ୍ୱର ସବର୍ବୃହତ ଡାକ ନେଟୱର୍କ । ଏଥିରୁ ପ୍ରାୟ ୮,୯୦୦ ଡାକଘର ଓଡ଼ିଶାରେ ରହିଛି । ଜୀବନର ପ୍ରତ୍ୟେକ କ୍ଷେତ୍ର ସହ ଆମେ ଅଙ୍ଗାଙ୍ଗୀଭାବେ ଜଡ଼ିତ ବୋଲି ସେ କହିବା ସହ ଭାରତୀୟ ଡାକ ବିଭାଗ ବର୍ତ୍ତମାନ ନାଗରିକକୈନ୍ଦ୍ରିକ ସେବା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଏବଂ ଲୋକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେଉଥିବା କହିଥିଲେ ।

କିମସ ମେଡ଼ିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଆର.ସି. ଦାସ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ବୋଲି ଅଭିହିତ କରିଥିଲେ । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱ ଓ ଦୂରଦୃଷ୍ଟି ଯୋଗୁଁ କିମସ ଆଜି ଅନ୍ୟତମ ଅଗ୍ରଣୀ ମେଡିକାଲ କଲେଜ ହସ୍‍ପିଟାଲ୍‍ ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ବୋଲି ସେ କହିଥିଲେ । କିମସର ୨୦ ବର୍ଷ ପୂର୍ତ୍ତି ଏହାର ଯାତ୍ରାର ଅନ୍ତ ନୁହେଁ, ବରଂ ଏକ ନୂଆ ଯାତ୍ରାର ଆରମ୍ଭ ବୋଲି ସେ ମତ ଦେଇଥିଲେ ।

କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ କହିଲେ, କିମସ ପୂର୍ବ ଭାରତର ଅନ୍ୟତମ ବୃହତ୍ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରତିଷ୍ଠାନ ଭାବେ ଉଭା ହୋଇଛି । ଚିକିତ୍ସା ପର୍ଯ୍ୟଟନର ବଢ଼ୁଥିବା ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଲେ, ପ୍ରତିବର୍ଷ ପ୍ରାୟ ୪ରୁ ୫ ଲକ୍ଷ ବିଦେଶୀ ନାଗରିକ ଚିକିତ୍ସା ପାଇଁ ଭାରତକୁ ଆସୁଛନ୍ତି । ଓଡ଼ିଶାକୁ ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା ଗନ୍ତବ୍ୟସ୍ଥଳୀ ଭାବେ ପ୍ରତିଷ୍ଠିତ କରିବାରେ କିମ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସ୍କୁଲ୍ ଅଫ୍ ମେଡିସିନ୍‌ର ପ୍ରୋ-ଭାଇସ୍ ଚାନ୍ସେଲର ଡା. ସି.ବି.କେ. ମହାନ୍ତି, ପ୍ରତିଷ୍ଠାତାଙ୍କ ପରାମର୍ଶଦାତା ଡା. ଆର.ଏନ୍‌. ସାମନ୍ତ, କିମ୍ସର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଏମ୍‌.ଆର. ବେହେରାଙ୍କ ସମେତ ବହୁ ବରିଷ୍ଠ ଡାକ୍ତର, ଛାତ୍ରଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।