୫୩ କିଲୋରୁ ଅଧିକ ଗଞ୍ଜେଇ ଜବତ : କେରଳରେ ୬ ଓଡ଼ିଆ ଗିରଫ

ଭୁବନେଶ୍ୱର, ୦୩/୦୯ : ଗଞ୍ଜେଇ ଚୋରାଚାଲଣ ଅଭିଯୋଗରେ କେରଳରେ ୬ ଓଡ଼ିଆ ଗିରଫ । କେରଳର ଓଲାଭାକୋଡ୍ ରେ ଜବତ ହେଲା ୫୩ କିଲୋଗ୍ରାମରୁ ଅଧିକ ଗଞ୍ଜେଇ। ​କେରଳ ପୋଲିସର ନିଶା ନିବାରଣ ଅଭିଯାନ ଅଧୀନରେ ପାଲକ୍କାଡ଼ ନିକଟ ଓଲାଭାକୋଡ୍ ଠାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପାଲକ୍କାଡ଼ ଜିଲ୍ଲା ଆଣ୍ଟି-ନାର୍କୋଟିକ୍ସ ସ୍ପେଶାଲ ଆକ୍ସନ୍ ଫୋର୍ସ ଏବଂ ହେମାମ୍ବିକା ନଗର ପୋଲିସର ମିଳିତ ଟିମ୍ ଓଲାଭାକୋଡ୍ ରେଳ ଷ୍ଟେସନ ପରିସରରେ ଚଢ଼ାଉ କରିଥିଲା । ଅଭିଯୁକ୍ତମାନଙ୍କ ନିକଟରୁ ମୋଟ ୫୩.୪୫୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ​ଗିରଫ ହୋଇଥିବା ସମସ୍ତ ୬ ଜଣ ଅଭିଯୁକ୍ତ ଓଡ଼ିଶାର ବାସିନ୍ଦା । ​କନ୍ଧମାଳ ଜିଲ୍ଲାର ​ଜିଖୋରିଆ ଦିଗାଲ, ​ଅନିଲ କୁମାର ଦିଗାଲ ଓ ​କ୍ରିଷ୍ଟ ଦିଗାଲ ଏବଂ ରାୟଗଡ଼ା ଜିଲ୍ଲାର ​ପୁରନ୍ଦର ଖୋରା, ​ଯୁଧିଷ୍ଠିର ବିଭାର ଓ ​ଲାବଣ୍ୟ ଖୋରା । ଏହି ୬ ଜଣ ଓଡ଼ିଶାରୁ ଟ୍ରେନ୍ ଯୋଗେ ଓଲାଭାକୋଡ୍ ରେଳ ଷ୍ଟେସନରେ ପହଞ୍ଚିଥିଲେ । ସମସ୍ତ ୬ ଜଣଙ୍କ ପାଖରେ ଦୁଇଟି ଲେଖାଏଁ ବଡ଼ ବ୍ୟାଗ୍ ଥିଲା । ଷ୍ଟେସନରୁ ବାହାରକୁ ଆସି ରାସ୍ତାରେ ଯାଉଥିବା ସମୟରେ ସେମାନଙ୍କର ସନ୍ଦେହଜନକ ଚଳପ୍ରଚଳ ଓ ବ୍ୟାଗଗୁଡ଼ିକର ଅସ୍ୱାଭାବିକ ଭାର ଦେଖି ପୋଲିସ ଟିମ୍ ସେମାନଙ୍କୁ ଅଟକାଇଥିଲା । ଯାଞ୍ଚ କରିବା ପରେ ବ୍ୟାଗ୍ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଉଦ୍ଧାର ହୋଇଥିଲା । ​ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କେରଳର ସ୍ଥାନୀୟ ଡ୍ରଗ୍ସ ବେପାରୀମାନଙ୍କୁ ଯୋଗାଇବା ଉଦ୍ଦେଶ୍ୟରେ ଏହି ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା । ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ NDPS ଆଇନ ଅଧୀନରେ ମାମଲା ରୁଜୁ କରିଛି । ରେଳ ଷ୍ଟେସନ ବାହାରେ ଏହି ସାମଗ୍ରୀ ନେବାକୁ ଅପେକ୍ଷା କରିଥିବା ସ୍ଥାନୀୟ ଲୋକଙ୍କ ସମେତ ସମ୍ପୃକ୍ତ ଆନ୍ତଃରାଜ୍ୟ ନିଶା କାରବାର ନେଟୱର୍କକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।