ମହାକାଳପଡ଼ା ପଞ୍ଚାୟତ ସମିତିର ୮ମ ସାଧାରଣ ଅଧିବେଶନ: ପାନୀୟ ଜଳ ନେଇ ଉଦବେଗ ପ୍ରକାଶ କଲେ ଜନ ପ୍ରତିନିଧି 

ମହାକାଳପଡ଼ା: ୦୩/୦୯ : ମହାକାଳପଡ଼ା ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ବୁଧବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସମିତି ଅଧ୍ୟକ୍ଷା ମୀରାରାଣୀ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷ ବିଜୟ ଶୁକ୍ଲା,ସାଂସଦ ଙ୍କ ପ୍ରତିନିଧି ଜୀବନ ସାହୁ, ବିଧାୟକ ଙ୍କ ପ୍ରତିନିଧି ସରୋଜ ସାହୁ, ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, ଜିପିଓ ପ୍ରଦିପ ଦାସ, ବିଏସଏସଓ ଦୀପକରଞ୍ଜନ ପରିଡା ଆଦି ମଂଚାସୀନ ଥିଲେ l ଏତଦ ବ୍ୟତୀତ ବିଭିନ୍ନ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ /ସଭ୍ୟା ଉପସ୍ଥିତ ଥିଲେ l ବୈଠକ ପ୍ରାରମ୍ଭ ରେ ୨୦ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଦିବଂଗତ ସୁବୋଧ ଲେଙ୍କା ଙ୍କ ଅକାଳ ବିୟୋଗ ନେଇ ତାଙ୍କ ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା ପରେ ବୈଠକର କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିପିଓ ଶ୍ରୀ ଦାସ ପୂର୍ବ ବୈଠକ ର ବିବରଣୀ ପାଠ କରିବା ପରେ ବ୍ଲକଅଞ୍ଚଳ ର ବିଭିନ୍ନ ବିଭାଗୀୟ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କୃଷି, ଉଦ୍ୟାନ କୃଷି, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ, ଗ୍ରାମାଞ୍ଚଳ ଉନ୍ନୟନ ବିଭାଗ, ଜଳ ନିକାଶ ବିଭାଗ,ନଦୀତଟ ବନ୍ଧ ବିଭାଗ,ଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ,ପ୍ରାଣୀ ଚିକିତ୍ସା ବିଭାଗ ଶିକ୍ଷା,ସ୍ୱାସ୍ଥ୍ୟ ଓ ପାନୀୟଜଳ ଆଦି ନେଇ ଜନ ପ୍ରତିନିଧି ମାନେ ନିଜ ନିଜ ପଂଚାୟତ ର ବିଭିନ୍ନ ବିଭାଗୀୟ ସମସ୍ୟା ନେଇ ଅଭିଯୋଗ ଉଠାଇଥିଲେ l ନିର୍ବାଚିତ ପଞ୍ଚାୟତ ରେ ବିଭିନ୍ନ ସମସ୍ୟା ନେଇ ପଂଚାୟତ ପ୍ରତିନିଧି ମାନେ ଉପସ୍ଥାପନ କରିଥିଲେ l ବିଜେଡି ସରକାର କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାକାଳପଡ଼ା ବାସୀ ଙ୍କ ସମ୍ମୁଖରେ ୨୦୨୦ ସୁଦ୍ଧା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା କୁ ଶୁଭ ଉଦ୍ଘାଟନ ଅବସର ରେ ପ୍ରତିଶୃତି ରଖିଥିଲେ l ମାତ୍ର ୨୦୨୬ସୁଦ୍ଧା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବ୍ଲକ ଅଞ୍ଚଳରେ ଆଣ୍ଠେଇଥିବାରୁ ପାନୀୟ ଜଳ ସମସ୍ୟା ଦ୍ବିଗୁଣିତ ହେଉଥିବାରୁ ସମିତି ବୈଠକ ରେ ପ୍ରତିନିଧି ମାନେ ବେଶ ଉଦବେଗ ପ୍ରକାଶ କରିଥିଲେ l ଏନେଇ ବିଡିଓ ଶ୍ରୀ ଆଚାର୍ଯ୍ୟ ପ୍ରତିନିଧି ମାନଙ୍କ ଦ୍ୱାରା ଉପସ୍ଥାପିତ ସମସ୍ତ ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ।ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟାନ୍ଵୟନ କରିବା ସହିତ ଅତ୍ୟାବଶ୍ୟକ ସମସ୍ୟା ର ତ୍ୱରିତ ସମାଧାନ କରିବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ l