ଜେଲ୍‌ରୁ ବାହାରି ପୁଣି ଅଡୁଆରେ ବିକ୍ରମ ପଣ୍ଡା; ସାକ୍ଷୀଙ୍କୁ ଧମକ ଅଭିଯୋଗରେ ନୂଆ ମାମଲା

ଭୁବନେଶ୍ୱର, ୧୭/୦୯  : ଜେଲ୍‌ରୁ ବାହାରିବାର କିଛି ଦିନ ନପୂରୁଣୁ ପୁଣି ଆଇନଗତ ଅଡୁଆରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ସାକ୍ଷୀଙ୍କୁ ଫୋନ୍‌ ଯୋଗେ ଧମକ ଦେବା ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ବିରୋଧରେ ନୂଆ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଏସ୍‌ପି ସରବଣା ବିବେକ ସୂଚନା ଦେଇଛନ୍ତି।

ପୋଲିସର ସୂଚନା ଅନୁସାରେ, ଜେଲ୍‌ ଭିତରୁ ଜଣେ ସାକ୍ଷୀଙ୍କୁ ଧମକ ଦେବା ପାଇଁ ଫୋନ୍‌ କରାଯାଇଥିଲା। ଏହି ଫୋନ୍‌ଟି ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ୍‌ ବୋଲି ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ଜେଲ୍‌ର CCTV ଫୁଟେଜ୍‌ ଯାଞ୍ଚ ବେଳେ ଏନେଇ କିଛି ଠୋସ୍‌ ପ୍ରମାଣ ମିଳିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଗୋସାଣି ନୂଆଗାଁ ଥାନାରେ ବିକ୍ରମ ପଣ୍ଡାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ସେହିପରି ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ମଦନ ଦଳାଇଙ୍କ ବିରୋଧରେ ମଧ୍ୟ ପୃଥକ ମାମଲା ରୁଜୁ ହୋଇଛି।

ଅନ୍ୟପଟେ, ଜେଲ୍‌ରେ ନିଷିଦ୍ଧ ଫୋନ୍‌ ଯୋଗାଯୋଗକୁ ସହାୟତା କରିବା ଅଭିଯୋଗରେ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପ୍ରଶାସନକୁ ଖୁବ୍‌ଶୀଘ୍ର ଅବଗତ କରାଯିବ ବୋଲି ପୋଲିସ କହିଛି। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍‌ରେ ଥିବା ବିକ୍ରମ ପଣ୍ଡା ନିକଟରେ ସର୍ତ୍ତମୂଳକ ଜାମିନ୍‌ରେ ବାହାରିଥିଲେ। ଏବେ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ପୁଣି ଏକ ନୂଆ ମାମଲା ରୁଜୁ ହେବା ଘଟଣା ତାଙ୍କ ଆଇନଗତ ସମସ୍ୟାକୁ ଆହୁରି ବଢ଼ାଇଛି।