ଭୁବନେଶ୍ୱର, ୧୮/୦୯ : ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ଜଣାପଡ଼ିଛି। ପ୍ରଥମେ ଜଗମୋହନ ମୀନାଙ୍କ ଇସ୍ତଫାକୁ ରାଜ୍ୟ ସରକାର ଗ୍ରହଣ କରି ଆବଶ୍ୟକ ପ୍ରକ୍ରିୟା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଥିଲେ। ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଓ ଏହା ଚଳିତ ସେପ୍ଟେମ୍ବର ୧୧ ତାରିଖରୁ କାର୍ଯ୍ୟକାରୀ ହୋଇଛି।
୨୦୧୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ଚଳିତ ବର୍ଷ ଜୁଲାଇରେ ସ୍ୱେଚ୍ଛାକୃତ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ଅଲ୍ ଇଣ୍ଡିଆ ସର୍ଭିସ୍ରୁ ଇସ୍ତଫା ଦେଇଥିବା କହିଥିଲେ। ତାଙ୍କ ଇସ୍ତଫା କୌଣସି ଚାପ କିମ୍ବା ବାହ୍ୟ ପ୍ରଭାବରେ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ। ଯାହାକୁ ରାଜ୍ଯ ସରକାର ଗ୍ରହଣ କରିଥିଲେ।
ଜଗମୋହନ ମୀନା ରାଜସ୍ଥାନର ବାସିନ୍ଦା। ସେ ଆଇଆଇଟି କାନପୁରରୁ ଶିକ୍ଷା ସମାପ୍ତ କରିବା ପରେ ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୮୪୯ ତମ ର୍ୟାଙ୍କ ହାସଲ କରି ଆଇପିଏସରେ ଯୋଗ ଦେଇଥିଲେ । ନିଜର ୧୩ ବର୍ଷର ପୁଲିସ ସେବା କାର୍ଯ୍ୟକାଳ ମଧ୍ୟରେ ସେ ଅନୁଗୋଳ, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାରେ ପୁଲିସ ଏସପି ଭାବେ ଓ କଟକରେ ଡିସିପି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୨୫ ଫେବୃଆରୀ ୨୮ ତାରିଖରୁ ସେ ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ୱ ନେଇଥିଲେ।