ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ରମାଙ୍କୁ ମନ, ମସ୍ତିଷ୍କ, ମାତା, ଚଞ୍ଚଳତା ଓ ଭାବନାର କାରକ ଗ୍ରହ ବୋଲି ମନାଯାଏ । ୧୨ଟି ଗ୍ରହ ମଧ୍ୟରେ ଚନ୍ଦ୍ରମା ସବୁଠାରୁ ଦ୍ରୁତ ଗତିରେ ଗୋଚର କରନ୍ତି । ପ୍ରାୟ ସାଢ଼େ ଦୁଇ ଦିନରେ ଚନ୍ଦ୍ରମା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପରିବର୍ତ୍ତନ କରନ୍ତି । ଜ୍ୟୋତିଷ ମତ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର ଚନ୍ଦ୍ରମା ଦେବଗୁରୁ ବୃହସ୍ପତିଙ୍କ ସ୍ୱାମୀତ୍ୱ ଥିବା ଧନୁ ରାଶିରେ ପ୍ରବେଶ କରିବେ । ଏଠାରେ ସେ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବେ । ଧନୁ ରାଶି ଅଗ୍ନି ତତ୍ତ୍ୱ ଓ ଜ୍ଞାନପ୍ରଧାନ ରାଶି ଭାବେ ପରିଚିତ । ଜ୍ୟୋତିଷ ଗଣନା ଅନୁସାରେ, ଚନ୍ଦ୍ରମାଙ୍କ ଏହି ଗୋଚର ସମୟରେ ବ୍ୟକ୍ତିଙ୍କ ଚିନ୍ତାଧାରା ସକାରାତ୍ମକ ହୋଇପାରେ । ଧର୍ମକର୍ମ ପ୍ରତି ଆଗ୍ରହ ବଢ଼ିବା ସହ ନୂଆ ସୁଯୋଗର ଦ୍ୱାର ଖୋଲିପାରେ । ଏହି ସମୟରେ ୩ଟି ରାଶି ପାଇଁ ବିଶେଷ ଲାଭର ଯୋଗ ଥିବା ଜ୍ୟୋତିଷ ମତ ରହିଛି ।
ମେଷ : ଚନ୍ଦ୍ରମା ମେଷ ରାଶିର ନବମ ଭାବରେ ଗୋଚର କରିବେ । ଏହି ଭାବକୁ ଭାଗ୍ୟ, ଧର୍ମ ଓ ଦୀର୍ଘ ଯାତ୍ରା ସହ ଯୋଡ଼ି ଦେଖାଯାଏ । ମିଳିପାରେ ଏହି ଲାଭ: ଏହି ସମୟରେ ଭାଗ୍ୟ ପକ୍ଷ ମଜଭୁତ ହୋଇପାରେ । ଦୀର୍ଘଦିନ ଧରି ଅଟକିଥିବା କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସହଜରେ ସମ୍ପୂର୍ଣ୍ଣ ହୋଇପାରେ । ଧାର୍ମିକ କାର୍ଯ୍ୟ କିମ୍ବା ପୂଜାପାଠ ପ୍ରତି ମନ ବଳିପାରେ । କାର୍ଯ୍ୟସୂତ୍ରରେ ହେଉଥିବା ଯାତ୍ରା ଲାଭଦାୟକ ହୋଇପାରେ ଏବଂ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ ।
ସିଂହ : ଚନ୍ଦ୍ରମା ସିଂହ ରାଶିର ପଞ୍ଚମ ଭାବରେ ଗୋଚର କରିବେ । ଏହି ଭାବକୁ ଜ୍ଞାନ, ବୁଦ୍ଧି, ସନ୍ତାନ ଓ ଅଚାନକ ଧନଲାଭ ସହ ଯୋଡ଼ାଯାଏ । ମିଳିପାରେ ଏହି ଲାଭ: ଏହି ସମୟରେ ଚିନ୍ତା କରିବା ଓ ବୁଝିବା କ୍ଷମତା ସହ ସୃଜନଶୀଳତାରେ ଉନ୍ନତି ହୋଇପାରେ । ଛାତ୍ରଛାତ୍ରୀ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ିଙ୍କ ପାଇଁ ସମୟ ଅନୁକୂଳ ରହିପାରେ । ନିବେଶ କିମ୍ବା ଟ୍ରେଡିଂ ସହ ଜଡ଼ିତ ଲୋକଙ୍କ ପାଇଁ ଅଚାନକ ଧନଲାଭର ଯୋଗ ଥିବା ଜ୍ୟୋତିଷ ମତ ରହିଛି । ପାରିବାରିକ ପରିବେଶ ମଧ୍ୟ ଖୁସିରେ ଭରି ରହିପାରେ ।
ଧନୁ : ଚନ୍ଦ୍ରମା ଧନୁ ରାଶିର ପ୍ରଥମ ଭାବ ଅର୍ଥାତ୍ ଲଗ୍ନ ଭାବରେ ଗୋଚର କରିବେ । ମିଳିପାରେ ଏହି ଲାଭ: ମାନସିକ ଚିନ୍ତା ଓ ଚାପ କମିପାରେ । ମନ ପ୍ରସନ୍ନ ରହିବା ସହ କାର୍ଯ୍ୟକ୍ଷେତ୍ରରେ ନୂଆ ଉତ୍ସାହରେ କାମ କରିବାର ସୁଯୋଗ ମିଳିପାରେ । ବ୍ୟକ୍ତିତ୍ୱର ପ୍ରଭାବ ବଢ଼ିପାରେ ଏବଂ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି । ଜୀବନସାଥୀ କିମ୍ବା ବ୍ୟବସାୟିକ ସହଯୋଗୀଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହୋଇପାରେ ।