ଏୟାର ଇଣ୍ଡିଆର୍ ୮ ଜଣ କ୍ର୍ୟୁ ସଦସ୍ୟ ନିଲମ୍ବିତ

ନୂଆଦିଲ୍ଲୀ, ୧୮/୦୯ : ଏୟାର ଇଣ୍ଡିଆ ବିମାନ କମ୍ପାନୀ ତାର ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ଚାକିରୀରୁ ନିଲମ୍ବିତ କରିଛି । ‘ପୋଷ୍ଟ-ଫ୍ଲାଇଟ୍ ଡିକ୍ଲାରେସନ୍’ (ଉଡ଼ାଣ-ପରବର୍ତ୍ତୀ ଘୋଷଣାନାମା) ଦାଖଲ କରିବାରେ ବିଳମ୍ବ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପରେ କରାଯାଉଥିବା ବାଧ୍ୟତାମୂଳକ ‘ବ୍ରେଥ୍ ଆନାଲାଇଜର’ (ଶ୍ୱାସ-ପରୀକ୍ଷଣ) ପରୀକ୍ଷା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କରାଯାଇଥାଏ । ବିମାନ ଚଳାଚଳ ନିୟମାବଳୀ ଅନୁଯାୟୀ, କ୍ରୁ ସଦସ୍ୟମାନଙ୍କୁ ବିମାନ ଅବତରଣର ଦୁଇ ଘଣ୍ଟା ମଧ୍ୟରେ ସେମାନଙ୍କର ‘ପୋଷ୍ଟ-ଫ୍ଲାଇଟ୍ ଡିକ୍ଲାରେସନ୍’ (ଉଡ଼ାଣ-ପରବର୍ତ୍ତୀ ଘୋଷଣାନାମା) ଦାଖଲ କରିବାକୁ ପଡ଼ିଥାଏ। ପରେ ବ୍ରେଥ୍ ଆନାଲାଇଜର୍ ପରୀକ୍ଷଣ କରାଯାଇଥାଏ ।

କିନ୍ତୁ ୨ ଅଗଷ୍ଟ ୨୦୨୬ରେ ଦୁବାଇରୁ ଅମୃତସର ଆସିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ର୍ୟୁ ସଦସ୍ୟଙ୍କୁ ଅବତରଣ ପରେ ଏହି ବାଧ୍ୟତାମୂଳକ ପ୍ରକ୍ରିୟା ସମ୍ପନ୍ନ ହୋଇପାରିନଥିଲା । ଘୋଷଣାନାମା ଦାଖଲ କରିବାରେ ୩୫ ମିନିଟ୍ ବିଳମ୍ବ ହୋଇଥିଲା । ବିମାନ ଆଗମନର ୨ ଘଣ୍ଟା ୩୫ ମିନିଟ୍ ପରେ ଘୋଷଣାନାମା ଦାଖଲ କରାଯାଇଥିଲା ।

ଘୋଷଣାନାମା ଦାଖଲରେ ହୋଇଥିବା ଏହି ବିଳମ୍ବ ଯୋଗୁଁ ଏୟାରଲାଇନ୍‌ର କଠୋର ସୁରକ୍ଷା ନିୟମାବଳୀ କାର୍ଯ୍ୟକାରୀ ହୋଇଥିଲା। ଏୟାରଲାଇନ୍‌ର ବାଧ୍ୟତାମୂଳକ ନିୟମ ଅନୁଯାୟୀ, ସମସ୍ତ କ୍ରୁ ସଦସ୍ୟଙ୍କର ‘ସାଇକୋଆକ୍ଟିଭ୍’ (ମାନସିକ ସ୍ଥିତି ଉପରେ ପ୍ରଭାବ ପକାଉଥିବା) ପଦାର୍ଥ ସେବନ କରିଛନ୍ତି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ପରୀକ୍ଷା କରାଯାଇଥିଲା। ସମସ୍ତ କ୍ରୁ ସଦସ୍ୟଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ‘ନେଗେଟିଭ୍’ ଆସିଥିଲା, ଯାହା ସ୍ପଷ୍ଟ କରିଥିଲା ଯେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ କୌଣସି ନିଶାଦ୍ରବ୍ୟ ସେବନ କରିନଥିଲେ।

ପରୀକ୍ଷା ଫଳ ‘ନେଗେଟିଭ୍’ ଆସିଥିବା ସତ୍ତ୍ୱେ, ପରିଚାଳନା କର୍ତ୍ତୃପକ୍ଷ ସମୟସୀମା ଉଲ୍ଲଂଘନ ଏବଂ ପ୍ରକ୍ରିୟାଗତ ତ୍ରୁଟିକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିଛନ୍ତି । କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏୟାରଲାଇନ୍ ଉକ୍ତ ବିମାନର ସମସ୍ତ ଆଠଜଣ କ୍ର୍ୟୁ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି ।