ନୂଆଦିଲ୍ଲୀ, ୨୮/୦୯ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଅଧୀନରେ ଥିବା ପବିତ୍ର କେଦାରନାଥ ଧାମ ଯାତ୍ରା ପଥରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ପ୍ରାୟ ୪,୦୦୦ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀ ଫସି ରହିଛନ୍ତି । ପାହାଡ଼ ପାର୍ଶ୍ୱରୁ କ୍ରମାଗତ ଭାବେ ବଡ଼ ବଡ଼ ପଥର ଏବଂ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ମାର୍ଗରୁ ଭଗ୍ନାବଶେଷ ହଟାଇ ରାସ୍ତା ସଫା କରିବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । ପ୍ରତିକୂଳ ପାଣିପାଗ ଓ ଅବିରତ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯିବା ସହ ସମସ୍ତ ହେଲିକପ୍ଟର ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି ।