ବୃଦ୍ଧାଶ୍ରମରେ ରହୁଛନ୍ତି ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି

ନୂଆଦିଲ୍ଲୀ ୨୮/୦୯ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ସଚିନ୍ ତେନ୍ଦୁଲକରଙ୍କ ବାଲ୍ୟବନ୍ଧୁ ବିନୋଦ କାମ୍ବଲି। ତାଙ୍କୁ ନେଇ ଏକ ଅତ୍ୟନ୍ତ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ, କାମ୍ବଲି ନଜର ଆସିଛନ୍ତି ମହାରାଷ୍ଟ୍ରର ଠାଣେସ୍ଥିତ ‘ନିଦାନ’ ନାମକ ଏକ ବୃଦ୍ଧାଶ୍ରମରେ। ଭିଡିଓରେ କାମ୍ବଲି ନିଜ ପରିଚୟ ଦେଇ କହୁଛନ୍ତି ଯେ, ଏଠାରେ ତାଙ୍କୁ ବହୁତ ଭଲପାଇବା ଏବଂ ସେବା ମିଳୁଛି । ତାଙ୍କୁ ଆଉ ଘରଠାରୁ ଦୂରରେ ଥିବା ପରି ଲାଗୁନାହିଁ। କିନ୍ତୁ ଜଣେ ଅନ୍ତର୍ଜାତୀୟ ଖେଳାଳିଙ୍କ ଏପରି ଅବସ୍ଥା ଦେଖି ପ୍ରଶଂସକମାନେ ନିଜକୁ ସମ୍ଭାଳି ପାରୁନାହାଁନ୍ତି। ଗତ କିଛି ବର୍ଷ ଧରି କାମ୍ବଲିଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଖରାପ ହୋଇଥିଲା । ୟୁରିନ୍ ଇନ୍ଫେକ୍ସନ୍, ମାଂସପେଶୀ ଜନିତ ସମସ୍ୟା ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ଜଟିଳତା କାରଣରୁ ସେ ପୂର୍ବରୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ୨୦୨୬ ମସିହା ଆରମ୍ଭରେ ସେ ମ୍ୟାଚ୍ ଦେଖିବା ଏବଂ ବିଜ୍ଞାପନରେ କାମ କରିବା ପରେ ସମସ୍ତେ ଆଶା କରିଥିଲେ ଯେ ସେ ସୁସ୍ଥ ହେଉଛନ୍ତି। କିନ୍ତୁ ବୃଦ୍ଧାଶ୍ରମରୁ ଆସିଥିବା ଏହି ନୂଆ ଭିଡିଓ ପୁଣି ଥରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।” ବିନୋଦ କାମ୍ବଲିଙ୍କ ଏହି କଷ୍ଟଦାୟକ ସମୟରେ ସମଗ୍ର କ୍ରିକେଟ୍ ଜଗତ ଏବଂ ତାଙ୍କ କୋଟକୋଟି ପ୍ରଶଂସକ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛନ୍ତି ସେ ଶୀଘ୍ର ସୁସ୍ଥ ହୋଇ ଫେରିଆସନ୍ତୁ।