ଭୁବନେଶ୍ବର, ୨୪/୧୦ : ଆସନ୍ତା ବର୍ଷ ଭୁବନେଶ୍ବରରେ ହେବ ଇଣ୍ଡିଆ କେମ୍-୨୦୨୭ । ଭୁବନେଶ୍ବରରେ ଇଣ୍ଡିଆ କେମ୍ କରିବାକୁ କେନ୍ଦ୍ର ପକ୍ଷରୁ ସବୁଜ ସଂକେତ ମିଳିଛି । ମୁମ୍ବାଇରୁ ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇରେ ଅନୁଷ୍ଠିତ India Chem 2026 ରେ ୯ଟି MoU ସହିତ ୪ଟି ଇନ୍ ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଓଡ଼ିଶାକୁ ସମୁଦାୟ ୫୩,୮୯୩.୫୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି, ଯାହା ଦ୍ୱାରା ୨୦,୨୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତା ବର୍ଷ ଏହି ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରିବା ପାଇଁ ସେ କେନ୍ଦ୍ର ସରକାର ଓ FICCI ସହିତ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଉଭୟେ ଗ୍ରୀନ ସିଗ୍ ନାଲ୍ ଦେଇଛନ୍ତି । ୨୦୨୭ ଅକ୍ଟୋବର ମାସରେ ଓଡ଼ିଶା କେମ- ୨୦୨୭ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏ ଅବସରରେ ବିଭିନ୍ନ ବିଜନେସ୍ ଲିଡର ମାନଙ୍କ ସହିତ ୨୫ଟି ୱାନ ଟୁ ୱାନ ବୈଠକ ଅନୁଷ୍ଠିତ ହୋଇଛି ।
ପସ୍କୋ ଇଣ୍ଡିଆ, ଜେ.ଏସ୍.ଡବ୍ଲ୍ୟୁ, ଏଲ୍ ଆଣ୍ଡ୍ ଟି ଆଦି କମ୍ପାନୀ ମାନଙ୍କ ସହିତ ଆମେରିକା ଓ ୟୁରୋପିଆନ୍ ୟୁନିଅନ୍ ର ବିଭିନ୍ନ ଦେଶର କମ୍ପାନୀମାନଙ୍କ ପ୍ରତିନିଧିମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ମେଟାଲଭିତ୍ତିକ ଅର୍ଥନୀତିରୁ କେମିକାଲଭିତ୍ତିକ ଅର୍ଥନୀତିକୁ ଡାଇଭର୍ସିଫାଇ କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ରହିଛି, ତାକୁ ସାକାର କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହୋଇଛି । ଓଡ଼ିଶାରେ ମେଟାଲ, ମେଟାଲ ଡାଉନଷ୍ଟ୍ରିମ୍, କେମିକାଲ, ପେଟ୍ରୋ କେମିକାଲ ଏବଂ ପ୍ଲାଷ୍ଟିକ୍ ଆଦି ସମସ୍ତ ପ୍ରକାର ପରସ୍ପର ନିର୍ଭରଶୀଳ ଶିଳ୍ପ ସ୍ଥାପନ କରି ଓଡ଼ିଶାରେ ଏକ କମ୍ପ୍ଲିଟ୍ ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ୍ ଗଠନ କରାଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି । ଏହାଦ୍ୱାରା ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ପୂରଣରେ ଓଡ଼ିଶା ଏକ ମଜବୁତ୍ ସ୍ତମ୍ଭ ହୋଇପାରିବ ବୋଲି ସେ କହିଛନ୍ତି ।