ପଶୁଙ୍କ ପରେ ମଣିଷ ଶରୀରରେ ‘ଶାମୋଣ୍ଡା’ ଭାଇରସ୍ : ଫ୍ରାନ୍ସରେ ଜଣେ ମୃତ

ନୂଆଦିଲ୍ଲୀ, ୨୪/୧୦ : ଫ୍ରାନ୍ସରେ ଆତଙ୍କ ଖେଳାଇଛି ‘ଶାମୋଣ୍ଡା’ ଭୂତାଣୁ । ପ୍ରଥମଥର ପାଇଁ ପଶୁମାନଙ୍କୁ ରୋଗାକ୍ରାନ୍ତ କରୁଥିବା ଏହି ଭୂତାଣୁ ମନୁଷ୍ୟ ଶରୀରରେ ପ୍ରବେଶ କରିଛି। କୌଣସି ମନୁଷ୍ୟ ଶରୀରରେ ଏହି ଭୂତାଣୁର ସଂକ୍ରମଣ ମିଳିବାର ଏହା ହେଉଛି ପ୍ରଥମ ଘଟଣା । ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଫ୍ରାନ୍ସର ଲିଓନ୍ ସହରର ଏକ ହସ୍ପିଟାଲରେ ରୋଗୀଜଣକ ଚିକିତ୍ସାଧୀନ ଥିଲେ । ତେବେ ସେ ପୂର୍ବରୁ ଏକ ଗୁରୁତର ରୋଗରେ ପୀଡ଼ିତ ଥିବାବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବହୁତ କମ୍ ଥିଲା । ପ୍ରଶ୍ନ ଉଠୁଛି, ପଶୁମାନଙ୍କଠାରେ ବ୍ୟାପୁଥିବା ଏହି ଭୂତାଣୁ ମନୁଷ୍ୟ ପାଇଁ କେତେ ବିପଜ୍ଜନକ? ଶାମୋଣ୍ଡା ଭୂତାଣୁ ମୁଖ୍ୟତଃ ଗାଈ ଏବଂ ଅନ୍ୟାନ୍ୟ ଗୃହପାଳିତ ପଶୁମାନଙ୍କୁ ରୋଗାକ୍ରାନ୍ତ କରିଥାଏ । ‘ମିଜ୍’ ନାମକ କ୍ଷୁଦ୍ର କୀଟ କାମୁଡ଼ିବା ଦ୍ୱାରା ଏହା ବ୍ୟାପିଥାଏ ।

ଏହି ଭୂତାଣୁ ବିଷୟରେ ପ୍ରଥମେ ୧୯୬୫ ମସିହାରେ ନାଇଜେରିଆରେ ଜଣାପଡ଼ିଥିଲା। ବର୍ତ୍ତମାନ ଏହା ୟୁରୋପର ୧୨ରୁ ଅଧିକ ଦେଶରେ ବ୍ୟାପିସାରିଛି । ଚଳିତ ବର୍ଷ ଜୁଲାଇ ଶେଷ ଆଡ଼କୁ ପ୍ରଥମଥର ପାଇଁ ୟୁରୋପରେ ଏହା ଚିହ୍ନଟ ହୋଇଥିଲା । ଅକ୍ଟୋବର ୨୦ ସୁଦ୍ଧା ଫ୍ରାନ୍ସ, ଜର୍ମାନୀ, ସ୍ପେନ୍ ଓ ଆୟର୍ଲାଣ୍ଡ ସମେତ ୧୨ରୁ ଅଧିକ ଦେଶକୁ ଏହା ବ୍ୟାପିଛି । ଗାଈ, ଛେଳି, ଘୋଡ଼ା ଭଳି ପଶୁମାନଙ୍କଠାରେ ଜ୍ୱର, ଝାଡ଼ା, କ୍ଷୀର କମିଯିବା ଏବଂ ଗର୍ଭବତୀ ପଶୁଙ୍କ ଗର୍ଭପାତ ଭଳି ଗମ୍ଭୀର ସମସ୍ୟା ଦେଖାଦେଉଛି । କିଛି ଘୋଡ଼ାଙ୍କ ମସ୍ତିଷ୍କ ଓ ସ୍ନାୟୁଗତ ସମସ୍ୟା ମଧ୍ୟ ସାମ୍ନାକୁ ଆସିଛି। ଫ୍ରାନ୍ସର ଅଧିକାରୀଙ୍କ କହିବା ଅନୁସାରେ, ପୂର୍ବ ଫ୍ରାନ୍ସରେ ସଂକ୍ରମିତ କୀଟ କାମୁଡ଼ିବା କାରଣରୁ ରୋଗୀଙ୍କୁ ଏହି ସଂକ୍ରମଣ ହୋଇଥିଲା । ତେବେ ମୃତ୍ୟୁ ଏବଂ ସଂକ୍ରମଣର ପ୍ରକୃତ ସମ୍ପର୍କ ନେଇ ଯାଞ୍ଚ ଜାରି ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଏକମାତ୍ର ଘଟଣା ଏବଂ ମନୁଷ୍ୟମାନଙ୍କ ମଧ୍ୟରେ ଏହା ବ୍ୟାପକ ଭାବରେ ବ୍ୟାପିବାର ବିପଦ ବହୁତ କମ୍ ଅଛି ।