ଦିଲ୍ଲୀରେ ଏସ୍‌ଆଇଆର୍‌ ବିରୋଧୀ ବିକ୍ଷୋଭ : ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ

ନୂଆଦିଲ୍ଲୀ, ୨୪/୧୦ : ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ବିରୋଧ କରି ଶୁକ୍ରବାର ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ମୁଖ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ଏକ ପଦଯାତ୍ରାକୁ ଦିଲ୍ଲୀ ପୁଲିସ ଅଧାରୁ ଅଟକାଇବା ସହ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। କେନ୍ଦ୍ରୀୟ ଦିଲ୍ଲୀର କାଳୀବାଡ଼ି ମାର୍ଗ ଏବଂ ଭାଇ ବୀର ସିଂହ ମାର୍ଗ ଛକରେ ଥିବା ଗୋଲ୍ ଡାକଖାନା ନିକଟରୁ ସିଜେପି ଓ ‘ପିପୁଲ୍‌ସ ଏଗ୍‌ନେଷ୍ଟ ଏସ୍ଆଇଆର୍’ ସଂଗଠନର ଦିଲ୍ଲୀ ସମନ୍ୱୟ କମିଟି ଆହ୍ୱାନରେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା। ସେହି ଅଞ୍ଚଳରେ ଜନସମାବେଶକୁ ନିଷେଧ କରୁଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍)ର ଧାରା ୧୬୩ ଲାଗୁ କରାଯାଇଥିବା ନେଇ ସୂଚନା ମିଳିଛି। ରାଜଧାନୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀ ପୁଲିସ ସମେତ ତ୍ବରିତ କାର୍ଯ୍ୟାନୁଷ୍ଠାନ ବାହିନୀ (ଆରଏଏଫ୍) ଯବାନଙ୍କୁ ମଧ୍ୟ ବହୁ ସଂଖ୍ୟାରେ ମୁତୟନ କରାଯାଇଥିଲା।

ଆନ୍ଦୋଳନକାରୀମାନେ ହାତରେ ଜାତୀୟ ପତାକା ଏବଂ ବ୍ୟାନର ଧରି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ସ୍ଲୋଗାନବାଜି କରିଥିଲେ। ‘ଜ୍ଞାନେଶ କୁମାର ଇସ୍ତଫା ଦିଅ’, ‘ଭୋଟ ଚୋରି ଚଳିବ ନାହିଁ’ ଭଳି ସ୍ଲୋଗାନ ଦେଇ ସଂଶୋଧନ ପ୍ରକ୍ରିୟାରେ ବହୁ ସଂଖ୍ୟକ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ପଦଯାତ୍ରାରେ ଛାତ୍ର, ଯୁବକ, ଚାଷୀମାନଙ୍କ ସମେତ ସିପିଆଇଏମ୍‌ର ବରିଷ୍ଠ ନେତ୍ରୀ ବୃନ୍ଦା କାରାତ, ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୱିମେନ୍ସ ଆସୋସିଏସନ (ଆଇଡିଡବ୍ଲୁଏ) ଏବଂ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ (ଏଆଇଡିଏସ୍‌ଓ)ର ସଦସ୍ୟମାନେ ସାମିଲ ହୋଇଥିଲେ। ଏଥିସହ ଦିଲ୍ଲୀ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ‘କ୍ରାନ୍ତିକାରୀ ଯୁବ ସଂଗଠନ’ (କେୱାଇଏସ୍) ଓ ଷ୍ଟୁଡେଣ୍ଟସ ଫେଡେରେସନ୍‌ ଅଫ ଇଣ୍ଡିଆ (ଏସ୍‌ଏଫ୍‌ଆଇ)ର କର୍ମକର୍ତ୍ତାମାନେ ଏହାକୁ ସମର୍ଥନ ଜଣାଇଥିଲେ।

ଜାତୀୟ ପତାକା ଧରି ଏହି ଲଢ଼େଇରେ ସାମିଲ ହେବାକୁ କମିଟି ପକ୍ଷରୁ ଚାଷୀ, ଶ୍ରମିକ, ମହିଳା ଓ ଯୁବ ସମାଜକୁ ଆହ୍ୱାନ କରାଯାଇଛି। ଦିଲ୍ଲୀର ଏହି ଆନ୍ଦୋଳନ ସଂକଳ୍ପ ପାଠ ଏବଂ ଜାତୀୟ ସଙ୍ଗୀତ ଗାନ ସହ ସମାପ୍ତ ହେବ ବୋଲି ଆୟୋଜକମାନେ ଜଣାଇଛନ୍ତି। ଅପରପକ୍ଷରେ ଏହି ପଦଯାତ୍ରା ଯୋଗୁଁ କନଟ୍‌ ପ୍ଲେସ୍, ସଂସଦ ମାର୍ଗ, ବାଙ୍ଗଲା ସାହିବ ଗୁରୁଦ୍ୱାର ଆଦି ଅଞ୍ଚଳରେ ପ୍ରବଳ ଟ୍ରାଫିକ ଜାମ୍ ହୋଇଥିଲା। କେନ୍ଦ୍ରୀୟ ଦିଲ୍ଲୀର ପ୍ରମୁଖ ରାସ୍ତାଗୁଡ଼ିକରେ ଅପରାହ୍ଣ ଗୋଟାଏରୁ ୫ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳର ମାର୍ଗ ପରିବର୍ତ୍ତନ କରାଯାଇଥିବା ନେଇ ଦିଲ୍ଲୀ ଟ୍ରାଫିକ ପୁଲିସ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଭୋଟର ତାଲିକାରୁ ନାମ କାଟିଦେବା ନେଇ ଦେଶର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇ ନିର୍ବାଚନ କମିସନଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଛି।