ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ କୁମାର ନାଥ, OSD ଭାବେ ନିଯୁକ୍ତ କଲେ ସରକାର

ଭୁବନେଶ୍ୱର, ୦୧/୧୧ : ଯୌନ ନିର୍ଯାତନା ଅଭିଯୋଗରେ ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ କୁମାର ନାଥ । ତାଙ୍କୁ ରାଜ୍ୟ ଗୃହ ବିଭାଗର ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ବା OSD ଭାବେ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର । ରବିବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଜଣେ ପୂର୍ବତନ ମହିଳା ଜେଲରଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ସୁଶାନ୍ତ ନାଥ ଚର୍ଚ୍ଚାରେ ଥିବା ବେଳେ ତାଙ୍କର ଏହି ବଦଳି ହୋଇଛି । ୧୯୯୩ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥ ଏପର୍ଯ୍ୟନ୍ତ ଓଡ଼ିଶାର ଜେଲ୍ ଓ ସଂସ୍କାରମୂଳକ ସେବା ବିଭାଗର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ବଦଳି ପରେ ୧୯୯୫ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଡକ୍ଟର ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ବର୍ତ୍ତମାନ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରୀର ନିର୍ଦ୍ଦେଶକ ଅଛନ୍ତି । ଏହାସହ ଅତିରିକ୍ତ ଜେଲ୍ ଡିଜି ତଥା ସଂସ୍କାରମୂଳକ ସେବା ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବେ । ଚୌଦ୍ୱାର ସର୍କଲ ଜେଲ୍ ରେ କାର୍ଯ୍ୟ କରିଥିବା ସମ୍ପୃକ୍ତ ମହିଳା ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତ ନାଥ ତାଙ୍କୁ ଅଫିସକୁ ଡାକି ଯୌନ ନିର୍ଯାତନା ଦେଇଥିଲେ । ଏହାସହ ଏକ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇବା ସହ କଥା ନମାନିଲେ କ୍ୟାରିୟର ଶେଷ କରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏହି ଅଭିଯୋଗକୁ ନେଇ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କମିସନରେଟ୍ ପୋଲିସ ରାଜ୍ୟ ଗୃହ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା ସୂଚନା ରହିଛି । ଯେଉଁ ପୂର୍ବତନ ମହିଳା ଜେଲର ଏବେ ସୁଶାନ୍ତ ନାଥଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ତାଙ୍କୁ ଚଳିତବର୍ଷ ଫେବ୍ରୁଆରୀ ୧୯ ତାରିଖରେ ସୁଶାନ୍ତ ନାଥ ହିଁ ନିଲମ୍ବନ କରିଥିଲେ । କର୍ତ୍ତବ୍ୟରେ ଅବହେଳା ଓ ଗୁରୁତର ଅସଦାଚରଣ ଅଭିଯୋଗରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ନିୟମାବଳୀ, ୧୯୬୨ର ନିୟମ ୧୨ ଅନୁସାରେ ଏହି ନିଲମ୍ବନ ନିର୍ଦ୍ଦେଶ ଜାରି ହୋଇଥିଲା । ଏହା ପୂର୍ବରୁ ୨୦୨୫ ଅକ୍ଟୋବର ୩ ତାରିଖରେ ଚୌଦ୍ୱାର ସର୍କଲ ଜେଲ୍ ରୁ ଦୁଇଜଣ ବିଚାରାଧୀନ କଏଦୀ ଫେରାର ହୋଇଥିଲେ ।

ଏହି ଘଟଣା ପରେ ସମ୍ପୃକ୍ତ ମହିଳା ଜେଲରଙ୍କୁ ଚୌଦ୍ୱାରରୁ କଣ୍ଟାବାଞ୍ଜି ସବ୍ ଜେଲ୍ କୁ ବଦଳି କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ଜେଲ୍ ର ସରକାରୀ ରେକର୍ଡରେ ହେରଫେର ଓ ଦସ୍ତଖତ ଜାଲିଆତି ଅଭିଯୋଗ ମଧ୍ୟ ଆଣିଥିଲେ । ଏହି ଅଭିଯୋଗର ତଦନ୍ତ ପରେ ଚୌଦ୍ୱାର ଜେଲ୍ ର ତତ୍କାଳୀନ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ପୋଲିସ ଗିରଫ କରିଥିଲା । ତେବେ ସୁଶାନ୍ତ ନାଥଙ୍କ ବଦଳି ପଛର କାରଣ ସମ୍ପର୍କରେ ସରକାରୀ ବିଜ୍ଞପ୍ତିରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ସହ ଏହି ବଦଳିର ସିଧାସଳଖ ସମ୍ପର୍କ ଥିବା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଅଭିଯୋଗର ସତ୍ୟାସତ୍ୟ ତଦନ୍ତ ପରେ ଜଣାପଡ଼ିବ ।

ଝାରସୁଗୁଡ଼ା ଏସ୍ ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କଟକ ରାଜ୍ୟ ପୋଲିସ ମୁଖ୍ୟାଳୟର ଏଆଇଜି ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଅତିରିକ୍ତ ଏସ୍ ପି ସୋନାଲି ସିଂହ ପରମାର ହେବେ ଝାରସୁଗୁଡ଼ାର ନୂଆ ଏସ୍ ପି। ନୂଆପଡ଼ା ଏସ୍ ପି ଅମ୍ରିତପାଲ ସିଂହଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍ ପି ଭାବେ ନିଯୁକ୍ତ କରାଯାଇଛି।ନଭେମ୍ବର ୧ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ନମ୍ବର ୩୮୩୮୦/ଆଇପିଏସ୍ ରେ ମୋଟ ୯ ଜଣ ଆଇପିଏସ୍ ଓ ଓପିଏସ୍ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସମ୍ପର୍କରେ ଉଲ୍ଲେଖ ରହିଛି ।