ଆଜିଠାରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ଭୁବନେଶ୍ୱର, ୦୧/୧୦ : ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ଆଜିଠାରୁ ମନଭରି ବୁଲିବେ ପର୍ଯ୍ୟଟକ । ଏଥିପାଇଁ କିନ୍ତୁ ରହିଛି କିଛି ଗାଇଡ୍ ଲାଇନ୍। ଅଫଲାଇନ୍ ପ୍ରବେଶ ପତ୍ର ବନ୍ଦ ରହିଛି । କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ପର୍ଯ୍ୟଟକ ନିଜର ପ୍ରବେଶ ପତ୍ର ପାଇପାରିବେ । ଯଶିପୁର କାଳିକାପ୍ରସାଦ ତନଖି ଫାଟକ ଦେଇ ସକାଳ ୫ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ଓ ପୀଠାବଟା ତନଖି ଫାଟକ ଦେଇ ସକାଳ ୮ ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ସନ୍ଧ୍ୟା ୬ ଟା ସୁଦ୍ଧା ପ୍ରସ୍ଥାନ ଫାଟକ ଛାଡିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିଦିନ ସର୍ବାଧିକ ୬୦ ଟି ଯାନ ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

ଶିମିଳିପାଳ ଅଭୟାରଣ୍ୟରେ କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି, ଜାମୁଆଣି ଏବଂ ତାଳବନ୍ଧ ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ କରିପାରିବେ । ଏଥି ପାଇଁ ପର୍ଯ୍ୟଟକ ମାନେ www.ecotourodisha.com ୱେବସାଇଟରେ login କରି ଅନଲାଇନ୍ ବୁକିଂ କରିବେ । ପୂର୍ବରୁ ବୁକିଂ ମାଧ୍ୟମରେ ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ । ଶିମିଳିପାଳରେ ଜୋରନ୍ଦା ଏବଂ ବରେହିପାଣି ଜଳପ୍ରପାତ, ମେଘାସନୀ ପର୍ବତ ତଥା ବିଭିନ୍ନ ବନ୍ୟଜନ୍ତୁଙ୍କ ଦେଖିବାକୁ ଭିଡ ଲାଗିବ। ୨୦୨୪-୨୫ ମସିହାରେ ୧୨ ଜଣ ବିଦେଶୀଙ୍କ ସମେତ ୩୮,୪୮୩ ଜଣ ପର୍ଯ୍ୟଟକ ଶିମିଳିପାଳ ଆସିଥିଲେ। ସେଥିରୁ ୪.୨୬ କୋଟି ଟଙ୍କା ରାଜସ୍ୱ ମିଳିଥିଲା।