SIR ବିରୋଧରେ ଏକାଠି INDIA ମେଣ୍ଟ, ଦିଲ୍ଲୀରେ ମହାସମାବେଶ

ନୂଆଦିଲ୍ଲୀ, ୦୧/୧୧ : ଆଜି ଦିଲ୍ଲୀରେ INDIA ମେଣ୍ଟର ମହାସମାବେଶ । ନିର୍ବାଚନ କମିଶନଙ୍କ ବିରୋଧରେ ରଣହୁଙ୍କାର । SIR ଓ ଭୋଟର ତାଲିକାରେ ଅନିୟମିତତା ଅଭିଯୋଗକୁ ନେଇ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ । ରାମଲୀଳା ମୈଦାନରେ ବଡ଼ ସମାବେଶ । ଦିଲ୍ଲୀରେ ବିରୋଧୀ INDIA ମେଣ୍ଟର ମହାସମାବେଶ । ନିର୍ବାଚନ କମିଶନଙ୍କ ବିରୋଧରେ ଏକାଠି ହେବେ ବିରୋଧୀ ଦଳର ନେତା। ଭୋଟର ତାଲିକାର SIR ଏବଂ ଭୋଟ୍ ଚୋରି ଅଭିଯୋଗକୁ ନେଇ ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ବଡ଼ ଧରଣର ସମାବେଶ ଆୟୋଜନ କରିବାକୁ ଯୋଜନା କରିଛି INDIA ମେଣ୍ଟ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ଏହି ପ୍ରତିବାଦ କରିବେ। କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଘୋଷଣା ଅନୁସାରେ, ଆଜି ମଧ୍ୟାହ୍ନ ୧୨ଟାରେ ଦିଲ୍ଲୀର ମିଣ୍ଟୋ ରୋଡ୍ ଓ କନଟ୍ ପ୍ଲେସ୍ ଜଙ୍କସନ୍ ରୁ ପଦଯାତ୍ରା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପଦଯାତ୍ରା ରାମଲୀଳା ମୈଦାନରେ ପହଞ୍ଚିବାର ଯୋଜନା ରହିଛି ।

ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାହୁଲ ଗାନ୍ଧୀ ଆହ୍ୱାନ ଦେଇଛନ୍ତି । ବିରୋଧୀ ମେଣ୍ଟର ଅଭିଯୋଗ, SIR ପ୍ରକ୍ରିୟାରେ ଅନିୟମିତତା ଯୋଗୁଁ ଯୋଗ୍ୟ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ପଡ଼ିବାର ଆଶଙ୍କା ରହିଛି । ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ମଧ୍ୟ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି । SIR ପ୍ରକ୍ରିୟା ବାତିଲ କରିବା, ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ବାଲଟ୍ ପେପର ମାଧ୍ୟମରେ ନିର୍ବାଚନ କରାଇବା ଦାବି ମଧ୍ୟ ସମାବେଶରେ ଉଠିବ । ସମାବେଶ ପୂର୍ବରୁ INDIA ମେଣ୍ଟର ନେତାମାନେ ମଧ୍ୟ ପ୍ରସ୍ତୁତି ଜୋରଦାର କରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରୁ ଖୋଲା ବସ୍ ରେ ବିରୋଧୀ ନେତାମାନେ ମିଣ୍ଟୋ ରୋଡ୍ ଅଭିମୁଖେ ଯିବାର ଯୋଜନା ରହିଛି । ଏଥିପାଇଁ କଂଗ୍ରେସ ମୁଖ୍ୟାଳୟରେ ସ୍ୱତନ୍ତ୍ର ବସ୍ ପ୍ରସ୍ତୁତ କରାଯାଇଛି ।

ଅନ୍ୟପଟେ ସମାବେଶକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରାୟ ୩ ହଜାର ୫୦୦ ପୋଲିସ କର୍ମଚାରୀ ମୁତୟନ ଏବଂ ୨୦୦ରୁ ୨୫୦ଟି CCTV କ୍ୟାମେରା ଲଗାଇବାର ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ସହାୟତା ମଧ୍ୟ ନିଆଯିବ। ଏହା ଏକ ରାଜନୈତିକ ପ୍ରତୀକାତ୍ମକ କାର୍ଯ୍ୟକ୍ରମ, ସଂସଦର ଔପଚାରିକ ମହାଭିଯୋଗ ପ୍ରକ୍ରିୟା ନୁହେଁ। ଆଜିର ସମାବେଶରେ ବିରୋଧୀ ମେଣ୍ଟର ଶୀର୍ଷ ନେତାମାନେ କିଭଳି ରଣନୀତି ଆପଣାଉଛନ୍ତି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ କି ପରବର୍ତ୍ତୀ କାର୍ଯ୍ୟକ୍ରମ ଘୋଷଣା କରୁଛନ୍ତି, ତାହା ଉପରେ ରହିବ ନଜର ।