ଭୁବନେଶ୍ୱର, ୦୨/୧୧ : ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପରବର୍ତ୍ତୀ ବନ୍ୟା ଯୋଗୁଁ ଓଡ଼ିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସ୍ଥଳଭିତ୍ତିକ ଆକଳନ କରିବା ପାଇଁ ରାଜ୍ୟକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରଣାଳୟସ୍ତରୀୟ ଏହି ୮ ଜଣିଆ ପ୍ରତିନିଧି ଦଳ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର ଏହି କେନ୍ଦ୍ରୀୟ ଟିମ୍ର ନେତୃତ୍ୱ ନେଉଛନ୍ତି। ସେ ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଟିମ୍ର ବାକି ସଦସ୍ୟମାନେ ନଭେମ୍ବର ୨ ସନ୍ଧ୍ୟା କିମ୍ବା ନଭେମ୍ବର ୩ ସକାଳ ସୁଦ୍ଧା ଭୁବନେଶ୍ୱରରେ ଏକାଠି ହେବେ। ଏହାପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରି କ୍ଷେତ୍ର ପରିଦର୍ଶନରେ ବାହାରିବେ।
ଗସ୍ତ ସମୟରେ କେନ୍ଦ୍ରୀୟ ପ୍ରତିନିଧି ମଣ୍ଡଳୀ ବାତ୍ୟା ଓ ଜଳପ୍ରଳୟ ଯୋଗୁଁ କୃଷି, ଭିତ୍ତିଭୂମି, ରାସ୍ତାଘାଟ, ବିଦ୍ୟୁତ୍ ଯୋଗାଣ, ଜଳସମ୍ପଦ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା କ୍ଷତିର ପ୍ରତ୍ୟକ୍ଷ ସମୀକ୍ଷା କରିବେ। ଏହା ସହିତ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ଉଦ୍ଧାର, ରିଲିଫ୍ ଏବଂ ସହାୟତା ବଣ୍ଟନ କାର୍ଯ୍ୟସୂଚୀର ମଧ୍ୟ ସମୀକ୍ଷା କରାଯିବ।