ଭୁବନେଶ୍ୱର, ୦୨/୧୧ : ଭୁବନେଶ୍ୱରରେ ସରିଲା କିଟ୍ ନହ୍ନିପରୀ ଅଡିସନ୍, ଗ୍ରାଣ୍ଡ ଫିନାଲେରେ ଭାଗ ନେବେ ୩୦ ପ୍ରତିଯୋଗୀ । ସଫଳତାର ସହ ଶେଷ ହେଲା କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୬ତମ ସଂସ୍କରଣର ଭୁବନେଶ୍ୱର ଆଞ୍ଚଳିକ ଅଡିସନ୍ । ଦେଶର କୁନି ପ୍ରତିଭାମାନଙ୍କୁ ଜାତୀୟସ୍ତରରେ ନିଜର ଦକ୍ଷତା, ବ୍ୟକ୍ତିତ୍ୱ ଓ ଆତ୍ମବିଶ୍ୱାସ ପ୍ରଦର୍ଶନ ପାଇଁ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଏହି ଅଡିସନ୍ ଆୟୋଜିତ ହୋଇଥିଲା ।
ଏଥିରେ ଅଲ୍ ଇଣ୍ଡିଆ ସ୍ତରରୁ ମୋଟ ୩୦ ଜଣ ପ୍ରତିଯୋଗୀ ଚୟନ ହୋଇଛନ୍ତି । ଆସନ୍ତା ଡିସେମ୍ବର ୨୭, ୨୮ ଓ ୨୯ ତାରିଖରେ କିଟ୍ ପରିସରରେ ଏହାର ସେମିଫାଇନାଲ୍ ଓ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ । କିଟ୍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି, ସ୍କୁଲ୍ ଅଫ୍ ଫିଲ୍ମ ଆଣ୍ଡ ମିଡିଆ ସାଇନ୍ସେସ୍ ଏବଂ ସ୍କୁଲ୍ ଅଫ୍ ମାସ୍ କମ୍ୟୁନିକେସନ୍ ର ମିଳିତ ସହଯୋଗରେ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଛି ।
୧୩ରୁ ୧୫ ବର୍ଷ ବୟସର ବାଳିକାମାନେ ଏଥିରେ ଭାଗ ନେବାର ସୁଯୋଗ ପାଇଥିବା ବେଳେ ପ୍ରତିଯୋଗିତା ପାଇଁ କୌଣସି ଦେୟ ରଖାଯାଇନାହିଁ । ଏହି ପ୍ରତିଯୋଗିତାର ବିଜୟିନୀମାନଙ୍କ ପାଇଁ ମୋଟ ୫୬ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ରହିଛି । ୨୦୦୧ ମସିହାରେ ଓଡ଼ିଶାର କେନ୍ଦୁଝରରୁ ଏକ ଛୋଟ ପ୍ରୟାସ ଭାବେ ଆରମ୍ଭ ହୋଇଥିବା ନହ୍ନିପରୀ ୨୦୦୪ ମସିହାରୁ ଜାତୀୟସ୍ତରରେ ଆୟୋଜିତ ହୋଇଆସୁଛି ।
ଏହି ମଞ୍ଚ ମାଧ୍ୟମରେ କୁନି ପ୍ରତିଭାମାନେ ନିଜର ବୁଦ୍ଧିମତ୍ତା, ସୃଜନଶୀଳତା, ଯୋଗାଯୋଗ ଦକ୍ଷତା ଓ ବ୍ୟକ୍ତିତ୍ୱର ପରିଚୟ ଦେବା ସହ ଆତ୍ମବିଶ୍ୱାସ ବୃଦ୍ଧିର ସୁଯୋଗ ପାଉଛନ୍ତି । କିଟ୍ , କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଯୁବ ପ୍ରତିଭାଙ୍କ ଆକାଂକ୍ଷା ଓ ସମ୍ଭାବନାକୁ ଜାତୀୟସ୍ତରରେ ପରିଚୟ ଦେବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।