ଖରାପ କୋଲେଷ୍ଟ୍ରଲ୍ ପାଇଁ ରାମବାଣ ରେଡ୍ ଇଷ୍ଟ୍ ରାଇସ୍, ସେବନ ପୂର୍ବରୁ ଜାଣନ୍ତୁ ସତର୍କତା

ବଢ଼ୁଥିବା କୋଲେଷ୍ଟ୍ରଲ୍ ଏବେ ଅନେକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷକରି ଖରାପ କୋଲେଷ୍ଟ୍ରଲ୍ ବା LDL ବୃଦ୍ଧି ହୃଦରୋଗର ଆଶଙ୍କା ବଢ଼ାଇଥାଏ । ଏଭଳି ସ୍ଥିତିରେ ଏବେ ଚର୍ଚ୍ଚାକୁ ଆସିଛି ରେଡ୍ ଇଷ୍ଟ୍ ରାଇସ୍ । କୁହାଯାଉଛି, ଏହାର ସେବନ ଦ୍ୱାରା ଖରାପ କୋଲେଷ୍ଟ୍ରଲ୍ ସ୍ତର କମିପାରେ । ହେଲେ ଏହା ଯେତିକି ଉପକାରୀ, ସେତିକି ବିପଦଜନକ ମଧ୍ୟ ହୋଇପାରେ । ଅସାବଧାନତାର ସହ ଏହାର ସେବନ ଯକୃତ, କିଡ୍ନୀ ଓ ମାଂସପେଶୀ ଉପରେ ପ୍ରଭାବ ପକାଇପାରେ । ତେବେ କ’ଣ ଏହି ରେଡ୍ ଇଷ୍ଟ୍ ରାଇସ୍? କୋଲେଷ୍ଟ୍ରଲ୍ କମାଇବାରେ ଏହା କେତେ ପ୍ରଭାବଶାଳୀ ଏବଂ ଏହାର ସାଇଡ୍ ଇଫେକ୍ଟ କ’ଣ? ଆସନ୍ତୁ ଜାଣିବା ।

ରେଡ୍ ଇଷ୍ଟ୍ ରାଇସ୍ ହେଉଛି ଏକ ପ୍ରକାର ଫର୍ମେଣ୍ଟେଡ୍ ଚାଉଳ । ମୋନାସ୍କସ୍ ପୁରପ୍ୟୁରିୟସ୍ ନାମକ ଇଷ୍ଟ ସାହାଯ୍ୟରେ ଏହାକୁ ପ୍ରସ୍ତୁତ କରାଯାଏ । ଏସିଆରେ ଦୀର୍ଘଦିନ ଧରି ଖାଦ୍ୟ ଓ ପାରମ୍ପରିକ ଚିକିତ୍ସାରେ ଏହାର ବ୍ୟବହାର ହୋଇଆସୁଛି । ତେବେ ଏବେ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ପାଇଁ ଏହା ସପ୍ଲିମେଣ୍ଟ ଭାବେ ଲୋକପ୍ରିୟ ହେଉଛି ।

ଏଥିରେ ଥିବା ମୋନାକୋଲିନ୍-K ନାମକ ଉପାଦାନ ଏହାର ମୁଖ୍ୟ ଆକର୍ଷଣ । ଏହି ଉପାଦାନ କୋଲେଷ୍ଟ୍ରଲ୍ କମାଇବା ପାଇଁ ବ୍ୟବହୃତ ଲୋଭାଷ୍ଟାଟିନ୍ ଔଷଧ ସହ ସମାନ ଭାବେ କାମ କରିଥାଏ । ଏହା ଯକୃତରେ କୋଲେଷ୍ଟ୍ରଲ୍ ଉତ୍ପାଦନକୁ ପ୍ରଭାବିତ କରି LDL ସ୍ତର କମାଇବାରେ ସହାୟକ ହୋଇପାରେ ।

ରେଡ୍ ଇଷ୍ଟ୍ ରାଇସର ସବୁଠାରୁ ଚର୍ଚ୍ଚିତ ଉପକାରିତା ହେଉଛି ଖରାପ କୋଲେଷ୍ଟ୍ରଲ୍ ହ୍ରାସ । କିଛି ଗବେଷଣାରୁ ଜଣାପଡ଼ିଛି ଯେ, ଏହାର ନିର୍ଦ୍ଦିଷ୍ଟ ପ୍ରସ୍ତୁତି LDL ଏବଂ କୋଲେଷ୍ଟ୍ରଲ୍ ସ୍ତର କମାଇପାରେ । ଫଳରେ ଧମନୀରେ ଚର୍ବି ଜମିବାର ଆଶଙ୍କା ମଧ୍ୟ କମିପାରେ । ଏହାସହ ରକ୍ତଚାପ ଓ ରକ୍ତରେ ଶର୍କରା ସ୍ତର ଉପରେ ମଧ୍ୟ ଏହାର ପ୍ରଭାବକୁ ନେଇ ଗବେଷଣା ଚାଲିଛି । ତେବେ ହୃଦଘାତ ଓ ଷ୍ଟ୍ରୋକ୍ ରୋକିବାରେ ଏହା କେତେ ପ୍ରଭାବଶାଳୀ, ସେନେଇ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ।

ପ୍ରାକୃତିକ ଉପାଦାନ ହୋଇଥିଲେ ମଧ୍ୟ ରେଡ୍ ଇଷ୍ଟ୍ ରାଇସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ଏଥିରେ ଥିବା ମୋନାକୋଲିନ୍-K ଯୋଗୁଁ ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା ଓ ଟାଣ ଭଳି ସମସ୍ୟା ଦେଖାଦେଇପାରେ । କେତେକ କ୍ଷେତ୍ରରେ ଏହା ଯକୃତର କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିପାରେ । ଅସ୍ୱାଭାବିକ ଥକ୍କାପଣ, ବାନ୍ତି, ଗାଢ଼ ରଙ୍ଗର ପରିସ୍ରା ଓ ଚର୍ମ ହଳଦିଆ ପଡ଼ିବା ଭଳି ଲକ୍ଷଣ ଦେଖାଗଲେ ଅଣଦେଖା କରନ୍ତୁ ନାହିଁ ।

ଏହାବ୍ୟତୀତ ପ୍ରସ୍ତୁତି ସମୟରେ ସିଟ୍ରିନିନ୍ ନାମକ ବିଷାକ୍ତ ପଦାର୍ଥ ମିଶିବାର ଆଶଙ୍କା ରହିଛି । ଏହା କିଡନୀ ପାଇଁ କ୍ଷତିକାରକ ହୋଇପାରେ । କେତେକ ଲୋକଙ୍କଠାରେ ପେଟ ଯନ୍ତ୍ରଣା, ଗ୍ୟାସ୍, ଝାଡ଼ା, ମୁଣ୍ଡବିନ୍ଧା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ ।

କେଉଁମାନେ ରହିବେ ସତର୍କ?

ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା ଏବଂ ଯକୃତ କିମ୍ବା କିଡନୀ ସମସ୍ୟା ଥିବା ବ୍ୟକ୍ତି ରେଡ୍ ଇଷ୍ଟ୍ ରାଇସ୍ ସେବନରୁ ଦୂରେଇ ରହିବା ଉଚିତ। ସେହିପରି ଆଟୋରଭାଷ୍ଟାଟିନ୍, ରୋସୁଭାଷ୍ଟାଟିନ୍ ଓ ସିମଭାଷ୍ଟାଟିନ୍ ଭଳି କୋଲେଷ୍ଟ୍ରଲ୍ ଔଷଧ ସେବନ କରୁଥିବା ବ୍ୟକ୍ତି ଏହି ସପ୍ଲିମେଣ୍ଟ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । କିଛି ଆଣ୍ଟିବାୟୋଟିକ୍ ଓ ଅନ୍ୟ ଔଷଧ ସହ ମଧ୍ୟ ଏହାର ପାରସ୍ପରିକ ପ୍ରତିକ୍ରିୟା ହୋଇପାରେ ।

କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ପାଇଁ କେବଳ ସପ୍ଲିମେଣ୍ଟ ଉପରେ ନିର୍ଭର କରିବା ଠିକ୍ ନୁହେଁ । ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ଓଜନ ନିୟନ୍ତ୍ରଣ ଓ ସୁସ୍ଥ ଜୀବନଶୈଳୀ ଅତ୍ୟନ୍ତ ଜରୁରୀ । ରେଡ୍ ଇଷ୍ଟ୍ ରାଇସ୍ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମନେ ରଖନ୍ତୁ, ଡାକ୍ତରଙ୍କ ପରାମର୍ଶ ବିନା ନିୟମିତ କୋଲେଷ୍ଟ୍ରଲ୍ ଔଷଧ ବନ୍ଦ କରିବା ଆଦୌ ଉଚିତ୍ ନୁହେଁ ।