ଏହି ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, ଜାଣନ୍ତୁ କ’ଣ ରହିଛି ଜ୍ୟୋତିଷ ସଙ୍କେତ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, କ୍ରୋଧ ଏବଂ ପରାକ୍ରମର ପ୍ରତୀକ ବୋଲି ମାନାଯାଏ । ଜାତକରେ ମଙ୍ଗଳଙ୍କ ସ୍ଥିତି ଭଲ ଥିଲେ ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବଢ଼ିଥାଏ । କିନ୍ତୁ ମଙ୍ଗଳଙ୍କ ପ୍ରତିକୂଳ ସ୍ଥିତି ଜୀବନରେ ବିଭିନ୍ନ ସମସ୍ୟା ଆଣିପାରେ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ ରହିଛି ।

ବିଶେଷକରି ବ୍ୟକ୍ତିଙ୍କ ସ୍ୱଭାବ, କର୍ମକ୍ଷେତ୍ର ଏବଂ ପାରିବାରିକ ସମ୍ପର୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ । ମଙ୍ଗଳବାରକୁ ମଙ୍ଗଳ ଦେବଙ୍କ ପାଇଁ ସମର୍ପିତ ବୋଲି କୁହାଯାଏ । ତେଣୁ ଏହି ଦିନ କିଛି ରାଶିର ବ୍ୟକ୍ତିଙ୍କୁ ବିଶେଷ ସତର୍କ ରହିବାକୁ ପଡ଼ିପାରେ । ତେବେ ଆସନ୍ତୁ ଜାଣିବା କେଉଁ ୩ଟି ରାଶି ପାଇଁ ମଙ୍ଗଳବାର ଦିନଟି ଟିକିଏ ଚ୍ୟାଲେଞ୍ଜିଂ ରହିପାରେ ।

ମେଷ : ମେଷ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ଦେବ । ତେଣୁ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଗୁରୁତ୍ୱ ରଖେ । ତେବେ ଏହି ଦିନ କାର୍ଯ୍ୟକ୍ଷେତ୍ରରେ କୌଣସି ସହକର୍ମୀଙ୍କ ସହ ମତଭେଦ କିମ୍ବା ଯୁକ୍ତିତର୍କ ହୋଇପାରେ । ତେଣୁ ରାଗିଯାଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଟଙ୍କାପଇସା ମାମଲାରେ ମଧ୍ୟ ସତର୍କ ରୁହନ୍ତୁ । କାହାକୁ ଟଙ୍କା ଉଧାର ଦେବା କିମ୍ବା ବଡ଼ ଧରଣର ନିବେଶ କରିବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ । ଏହାସହ ଗାଡ଼ି ଚଲାଇବା ସମୟରେ ତରବର ନହୋଇ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ : ମଙ୍ଗଳବାର ଦିନ କର୍କଟ ରାଶିର ବ୍ୟକ୍ତିମାନେ ନିଜ କ୍ରୋଧ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ଛୋଟ ଛୋଟ କଥାରେ ରାଗିବା ଯୋଗୁଁ ମାନସିକ ଚାପ ବଢ଼ିପାରେ। ପରିବାରରେ ମଧ୍ୟ କୌଣସି କଥାକୁ ନେଇ ମତଭେଦ ଦେଖାଦେଇପାରେ। ତେଣୁ ଅନ୍ୟମାନଙ୍କ ସହ କଥା ହେବା ସମୟରେ ଧୈର୍ଯ୍ୟ ରଖନ୍ତୁ । ଚାକିରି କରୁଥିବା ବ୍ୟକ୍ତିମାନେ ନିଜ କାମରେ ଅବହେଳା କରନ୍ତୁ ନାହିଁ। ଜରୁରୀ କାମକୁ ତରବରିଆ ଭାବେ କରିବାରୁ ଦୂରେଇ ରୁହନ୍ତୁ । ଆର୍ଥିକ କାରବାର କ୍ଷେତ୍ରରେ ମଧ୍ୟ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। କାହାକୁ ଟଙ୍କା ଉଧାର ଦେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ ।

ତୁଳା : ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳବାର ଦିନଟି ଉତ୍ଥାନ-ପତନ ଭରା ରହିପାରେ । କର୍ମକ୍ଷେତ୍ରରେ କିଛି ବାଧା ଉପୁଜିବାର ଆଶଙ୍କା ରହିଛି । ତେଣୁ ଧୈର୍ଯ୍ୟର ସହ ପ୍ରତ୍ୟେକ କାମ କରନ୍ତୁ । ବ୍ୟବସାୟୀମାନେ କୌଣସି ନୂଆ ଚୁକ୍ତି କରିବା ପୂର୍ବରୁ ସମସ୍ତ ଦିଗକୁ ଭଲ ଭାବେ ଯାଞ୍ଚ କରନ୍ତୁ । ଚାକିରି କରୁଥିବା ବ୍ୟକ୍ତିମାନେ ନିଜ ଅଧିକାରୀଙ୍କ ସହ କଥା ହେବା ସମୟରେ ଶବ୍ଦ ପ୍ରୟୋଗ ପ୍ରତି ଧ୍ୟାନ ଦିଅନ୍ତୁ । ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଏହାସହ ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ସହ ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ ।

ତେଣୁ ଏହି ତିନୋଟି ରାଶିର ବ୍ୟକ୍ତିମାନେ ମଙ୍ଗଳବାର ଦିନ ନିଜ କ୍ରୋଧ, ବ୍ୟବହାର ଏବଂ ଆର୍ଥିକ କାରବାର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଶାନ୍ତ ମନରେ ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିବାକୁ ଚେଷ୍ଟା କରନ୍ତୁ ।