୨୧ ତାରିଖରୁ ଆରମ୍ଭ ହେବ ପଞ୍ଚୁକ ନୀତି, ପାଞ୍ଚଦିନ ପରିବର୍ତ୍ତେ ୪ ଦିନ ହେବ ପଞ୍ଚୁକ

ଭୁବନେଶ୍ୱର, ୧୮/୧୧ : ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ପଞ୍ଚୁକ ନୀତି । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ହେବ। ଚଳିତଥର ପାଞ୍ଚଦିନ ପରିବର୍ତ୍ତେ ୪ ଦିନ ହେବ ପଞ୍ଚୁକ। ପ୍ରତିଦିନ ମହାପ୍ରଭୁ ଆଡାକାନୀ, ଶ୍ରୀପୟର ଓ କୁଣ୍ଡଳୀ ଇତ୍ୟାଦି ପିନ୍ଧି ଦର୍ଶନ ଦେବେ। କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସ୍ବତନ୍ତ୍ର ରାଜାଧିରାଜ ବେଶ ବା ସୁନାବେଶ ରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ପଞ୍ଚୁକ ସମୟରେ ଭକ୍ତମାନେ କେବଳ ବାହାରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ। କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ଭକ୍ତମାନେ ଭିତରକାଠ ନିକଟରୁ ଦର୍ଶନ ପାଇପାରିବେ। ଭକ୍ତମାନେ ସିଂହଦ୍ବାରରେ ପ୍ରବେଶ କରି ଅନ୍ୟ ଦ୍ବାରରେ ପ୍ରସ୍ଥାନ କରିବେ। ସେବକମାନେ ସବୁଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। କୌଣସି ଯାତ୍ରୀ ପଣ୍ଡା ଯାତ୍ରୀ ନେଇ ପ୍ରବେଶ କରିପାରିବେ ନାହିଁ। ଭକ୍ତଙ୍କ ପାଇଁ ତିନି ଦ୍ବାରରେ ମେଗା ଫୋନ ସହ ସିଂହଦ୍ବାରରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା ରହିବ। ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଆଶୁ ଚିକିତ୍ସା କେନ୍ଦ୍ର ଅହୋରାତ୍ର ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ଉପ ମୁଖ୍ୟ ପ୍ରଶାସକ। ପଞ୍ଚୁକରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ଳିତ ବର୍ଷ ପଞ୍ଚୁକ ଚାରି ଦିନ ପଡ଼ୁଥିବାରୁ ଭକ୍ତ ଙ୍କ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। .