ଭୁବନେଶ୍ୱର, ୨୫/୧୧ : EPF ସଦସ୍ୟଙ୍କ ପାଇଁ ବଡ଼ ଖବର । ଏଣିକି UPI ଜରିଆରେ ଉଠାଇପାରିବେ ନିଜ PF ଟଙ୍କା । ଆସନ୍ତା ଡିସେମ୍ବରରୁ ସୁବିଧା ଆରମ୍ଭ ହେବାର ସମ୍ଭାବନା । କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା EPFO ଏହାର ଡିଜିଟାଲ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତି କରୁଛି । EPFO 3.0 ଅଧୀନରେ ସଦସ୍ୟଙ୍କୁ ମିଳିପାରେ ଏକାଧିକ ନୂଆ ସୁବିଧା । ବର୍ତ୍ତମାନ PF ଟଙ୍କା ଉଠାଣ ପାଇଁ ସଦସ୍ୟଙ୍କୁ ଅନଲାଇନରେ ଆବେଦନ କରିବା ସହ କ୍ଲେମ୍ ଅନୁମୋଦନ ପାଇଁ ଅପେକ୍ଷା କରିବାକୁ ପଡ଼ୁଛି । ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଏହି ପ୍ରକ୍ରିୟା ଅଧିକ ସରଳ ଓ ଦ୍ରୁତ ହୋଇପାରିବ। ଜରୁରୀ ଆର୍ଥିକ ଆବଶ୍ୟକତା ସମୟରେ ଯୋଗ୍ୟ ସଦସ୍ୟମାନେ UPI ଜରିଆରେ ନିଜ PF ଆକାଉଣ୍ଟରୁ ଅନୁମୋଦିତ ରାଶି ଉଠାଇପାରିବେ। କେବଳ PF ଟଙ୍କା ଉଠାଣ ନୁହେଁ, କ୍ଲେମ୍ ସେଟଲମେଣ୍ଟ ପ୍ରକ୍ରିୟାକୁ ମଧ୍ୟ ଅଧିକ ଦ୍ରୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । PF ଆକାଉଣ୍ଟରେ ଅଂଶଦାନ ପାଇଁ ଅଧିକ ମାଧ୍ୟମ ଉପଲବ୍ଧ କରାଇବା ସହ ଅବସର ପରେ ସଞ୍ଚିତ ରାଶି ପାଇବାର ବ୍ୟବସ୍ଥାକୁ ଅଧିକ ନମନୀୟ କରିବାକୁ ଯୋଜନା ରହିଛି । EPFO 3.0ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଦସ୍ୟଙ୍କୁ ଅଧିକ ସହଜ, ଦ୍ରୁତ ଓ ଆଧୁନିକ ଡିଜିଟାଲ ସେବା ଯୋଗାଇବା । ନୂଆ ବ୍ୟବସ୍ଥା ଲାଗୁ ହେଲେ PF ସେବା ପାଇବାରେ ହେଉଥିବା ବିଳମ୍ବ ଓ ପ୍ରକ୍ରିୟାଗତ ଜଟିଳତା ହ୍ରାସ ପାଇପାରେ । ତେବେ UPI ଜରିଆରେ ସର୍ବାଧିକ କେତେ ଟଙ୍କା ଉଠାଇହେବ, କେଉଁ ସଦସ୍ୟମାନେ ଏହି ସୁବିଧା ପାଇବେ ଏବଂ କେଉଁ ସର୍ତ୍ତରେ ଟଙ୍କା ଉଠାଣ କରିହେବ, ସେନେଇ ଚୂଡ଼ାନ୍ତ ନିର୍ଦ୍ଦେଶାବଳୀକୁ ଅପେକ୍ଷା ରହିଛି । ଡିସେମ୍ବରରୁ ଏହି ସୁବିଧା ଆରମ୍ଭ ହେବାର ସମ୍ଭାବନା ଥିବାବେଳେ ଔପଚାରିକ ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର ।