ୟୁଏଇରେ ଛାତିଥରା ସଡ଼କ ଦୁର୍ଘଟଣା; ବସ୍-ଟ୍ରକ୍ ଧକ୍କାରେ ଚାଲିଗଲା ୧୩ ଜୀବନ

ନୂଆଦିଲ୍ଲୀ ୨୫/୧୧ ; ବିଦେଶ ମାଟିରେ ପୁଣି ଭାରତୀୟଙ୍କ ପାଇଁ କାଳ ସାଜିଲା ଦୁର୍ଘଟଣା। ଆଖି ପିଛୁଳାକେ ଚାଲିଗଲା ୧୩ ଜଣଙ୍କ ଜୀବନ। ଆଉ ଜୀବନ ସହ ସଂଘର୍ଷ କରୁଛନ୍ତି ୧୪ ଜଣ। ସଂଯୁକ୍ତ ଆରବ ଏମିରେଟ୍ସ ବା ୟୁଏଇର ରାସ୍ ଅଲ୍ ଖୈମାହରେ ଘଟିଛି ଛାତିଥରା ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ ଜୋରଦାର ଧକ୍କା ହେବା ଫଳରେ ଚାଲିଗଲା ୧୩ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଭାରତୀୟ ନାଗରିକ ମଧ୍ୟ ରହିଛନ୍ତି। ଏନେଇ ଦୁବାଇସ୍ଥିତ ଭାରତୀୟ କନସୁଲେଟ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ କେତେ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି କିମ୍ବା କେତେ ଜଣ ଆହତ ହୋଇଛନ୍ତି, ସେନେଇ ଏଯାଏଁ ସରକାରୀ ଭାବେ ସ୍ପଷ୍ଟ ସୂଚନା ମିଳିନାହିଁ। ଅଲ୍ ୱାତନ୍ ରୋଡ୍ରେ ୪୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ଏହି ବସ୍। ହଠାତ୍ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାକଡ଼ରେ ଅଟକି ରହିଥିବା ଟ୍ରକ୍ ସହ ବସ୍ଟିର ଭୟଙ୍କର ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ଜୀବନ ଚାଲିଯାଇଥିଲା। ପରେ ହସ୍ପିଟାଲରେ ଚିକିତ୍ସାଧୀନ ଆଉ ଦୁଇ ଜଣଙ୍କ ମୃତ୍ୟୁ ହେବାରୁ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଅନ୍ୟପଟେ ୧୪ ଜଣ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ଘଟଣାକୁ ନେଇ ଦୁବାଇସ୍ଥିତ ଭାରତୀୟ କନସୁଲେଟ୍ ଗଭୀର ଶୋକ ପ୍ରକାଶ କରିବା ସହ ପୀଡ଼ିତଙ୍କ ପରିବାର ସହ ଯୋଗାଯୋଗ କରିଛି। ପରିବାରବର୍ଗଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରଖାଯାଇଛି।