ଭୁବନେଶ୍ୱର, ୨୭/୧୧ : ଐତିହାସିକ କଟକ ବାଲିଯାତ୍ରାର ଅବଧି ଆଉ ଦୁଇ ଦିନ ବଢ଼ାଇବାକୁ ଉଠିଲା ଦାବି। ଡିସେମ୍ବର ୧ରେ ଶେଷ ହେବାକୁ ଥିବା ବାଲିଯାତ୍ରାକୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କଟକ ମେୟର ସୁଭାଷ ଚନ୍ଦ୍ର ସିଂହ। ଏବେ ସରକାରଙ୍କ ନିଷ୍ପତ୍ତିକୁ ନେଇ ବଢ଼ିଛି ଉତ୍କଣ୍ଠା। ମେୟର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କଟକର ଐତିହାସିକ ବାଲିଯାତ୍ରା କେବଳ ଏକ ମେଳା ନୁହେଁ, ବରଂ ଏହା ଓଡ଼ିଶାର ବାଣିଜ୍ୟ, ଇତିହାସ ଓ ସାଂସ୍କୃତିକ ପରମ୍ପରାର ଗୌରବମୟ ପରିଚୟ। ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ବ୍ୟବସାୟୀ, କାରିଗର, ଖାଦ୍ୟ ଷ୍ଟଲ୍ ମାଲିକ ଏବଂ ହସ୍ତଶିଳ୍ପୀ ଯୋଗଦେଇଛନ୍ତି। ତେବେ ଚଳିତ ବର୍ଷ ବାତ୍ୟା ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ ବାଲିଯାତ୍ରାର ପ୍ରଥମ ଦୁଇ ଦିନ ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ବର୍ଷା କାରଣରୁ ଅନେକ ଷ୍ଟଲ୍ ଠିକ୍ ସମୟରେ ଖୋଲିପାରି ନଥିବା ବେଳେ ଆଶାନୁରୂପ ଗ୍ରାହକଙ୍କ ଆଗମନ ମଧ୍ୟ ହୋଇନଥିଲା। ବର୍ଷା ଛାଡ଼ିବା ପରେ ହିଁ ବ୍ୟବସାୟ ସ୍ୱାଭାବିକ ହୋଇଥିଲା।
ମେୟର ଆହୁରି କହିଛନ୍ତି ଯେ, ବହୁ ଦୂରଦୂରାନ୍ତରୁ ବ୍ୟବସାୟୀ, କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଦସ୍ୟାମାନେ ନିଜର ପୁଞ୍ଜି ଖଟାଇ ବାଲିଯାତ୍ରାକୁ ଆସିଛନ୍ତି। କିନ୍ତୁ ପ୍ରଥମ ଦୁଇ ଦିନର ବର୍ଷା ସେମାନଙ୍କ ବିକ୍ରିବଟା ଓ ଆୟ ଉପରେ ବଡ଼ ପ୍ରଭାବ ପକାଇଛି। ଫଳରେ ସେମାନେ ଆର୍ଥିକ କ୍ଷତି ସହିବା ସହ ଜୀବିକାକୁ ନେଇ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ବାଲିଯାତ୍ରାକୁ ଆଉ ଦୁଇ ଦିନ ବଢ଼ାଇଲେ ଛୋଟ ବ୍ୟବସାୟୀ, କାରିଗର ଓ SHG ସଦସ୍ୟାମାନେ ନିଜର କ୍ଷତି ଭରଣା କରିବା ସହ ଅଧିକ ଦୁଇ ଦିନ ବ୍ୟବସାୟ କରିବାର ସୁଯୋଗ ପାଇବେ ବୋଲି ମେୟର ଆଶା ପ୍ରକାଶ କରିଛନ୍ତି। ବ୍ୟବସାୟୀ ଓ ଉଠାଦୋକାନୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଲିଯାତ୍ରାର ଅବଧି ଡିସେମ୍ବର ୧ରୁ ବଢ଼ାଇ ଡିସେମ୍ବର ୩ ପର୍ଯ୍ୟନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କଟକ ମେୟର। ଏବେ ପ୍ରଶ୍ନ ହେଉଛି, ମେୟରଙ୍କ ଅନୁରୋଧ ରକ୍ଷା କରି ବାଲିଯାତ୍ରାକୁ ଆଉ ଦୁଇ ଦିନ ବଢ଼ାଇବେ କି ରାଜ୍ୟ ସରକାର? ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ବ୍ୟବସାୟୀ ଓ କଟକବାସୀ।