ଭୁବନେଶ୍ୱର, ୨୭/୧୧ : ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ପୁଣି ଥରେ ଶିକ୍ଷକଙ୍କ ଗର୍ଜନ । ୨ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ‘ଲେଭଲ୍-୫ (ଏ) ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ସରକାରଙ୍କ ନିକଟରେ ନିଜର ହକ୍ ଦାବି କରି ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ ଶିକ୍ଷକ । ସଂଘର ମୁଖ୍ୟ ଦୁଇଟି ଦାବି ହେଉଛି, ଶିକ୍ଷକମାନଙ୍କ ମୂଳ ଗ୍ରେଡ୍ ପେ’ ୨୨୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି କରାଯାଉ । ଦ୍ବିତୀୟରେ ଶିକ୍ଷା ସହାୟକ ଭାବେ କାର୍ଯ୍ୟ କରିଥିବା ୬ ବର୍ଷ ସମୟକୁ ମୂଳ ଚାକିରିରେ ଗଣନା କରାଯାଉ ଏବଂ ସେହି ଅନୁଯାୟୀ ୬ଟି ଇନକ୍ରିମେଣ୍ଟ ପ୍ରଦାନ କରାଯାଉ । ଯଦି ସରକାର ତୁରନ୍ତ ଏହି ଦାବିଗୁଡ଼ିକ ଉପରେ ବିଚାର କରି ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର ଓ ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି ।