ଲକଡାଉନ: ଯୋଗୀ ସରକାରଙ୍କ ବଡ଼ ଘୋଷଣା, ଉତ୍ତର ପ୍ରଦେଶରେ ଚାଲିବ ୧୧ ପ୍ରକାର କାରଖାନା

ଉତ୍ତର ପ୍ରଦେଶ, ୧୭/୪: କରୋନା ସଂକଟ ମଧ୍ୟରେ ଉତ୍ତର ପ୍ରଦେଶରେ ଯୋଗୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଆବଶ୍ୟକ ସାମଗ୍ରୀ ସମେତ ୧୧ ପ୍ରକାରର କାରଖାନାକୁ ସଶର୍ତ୍ତ ପରିଚାଳନା କରିବା ପାଇଁ ଅନୁମତି ଦେଇଛନ୍ତି । ଷ୍ଟିଲ, ରିଫାଇନରୀ, ସିମେଣ୍ଟ, ରସାୟତ, ସାର, ବସ୍ତ୍ର ଶିଳ୍ପ (ପରିଧାନ ବାଦ ପଡ଼ିଛି), ପେପର, ଟାୟାର, ଚିନି କଳ ଆଦିକୁ ପରିଚାଳନା କରିବାକୁ ଅନୁମତି ମିଳିଛି । ଏଥି ସହ କମନ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଆରମ୍ଭ କରିବାକୁ ଆଦେଶ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ୫୦ ପ୍ରତିଶତ ଶ୍ରମିକ ସହିତ କାରଖାନା ଚଳାଇବାକୁ ଅନୁମତି ଦିଆଯିବ । ଏହି ସମୟରେ ପ୍ରଶାସନିକ କାର୍ଯ୍ୟାଳୟକୁ ଖୋଲିବାକୁ ଅନୁମତି ମିଳିବ ନାହିଁ । ଏହା ବ୍ୟତୀତ ହଟସ୍ପଟ ଅଞ୍ଚଳରେ କାରଖାନା ଚଳାଇବା କଟକଣା ଜାରି ରହିବ ।

କାରଖାନା ପରିସରକୁ ଗାଇଡଲାଇନ ଅନୁସାରେ ସାନିଟାଇଜେଶନ କରାଯିବ ଏବଂ ଶ୍ରମିକଙ୍କ ସଂଖ୍ୟା ହିସାବରେ ଥର୍ମାଲ ସ୍କେନର ବ୍ୟବସ୍ଥା କରାଯିବ । ୟୁନିଟରେ ସାନିଟାଇଜର, ମାସ୍କ ଓ ପାଣିର ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଇଡଲାଇନର ପାଳନ ଜିଲ୍ଲା ପ୍ରଶାସନ ଓ ଚିକିତ୍ସା ବିଭାଗକୁ ସୁନିଶ୍ଚିତ କରିବାକୁ ହେବ । ଏହାରି ମଧ୍ୟରେ କୌଣସି କର୍ମଚାରୀଙ୍କ ଠାରେ କରୋନା ସଂକ୍ରମଣ ଦେଖାଗଲେ ଜିଲ୍ଲା ପ୍ରଶାସନକୁ ସୂଚିତ କରିବାକୁ ପଡ଼ିବ ।