ମହାରାଷ୍ଟ୍ର,୨୫/୫: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପିଡବ୍ଲ୍ୟୁଡି ମନ୍ତ୍ରୀ ଅଶୋକ ଚୌହାନଙ୍କୁ ମଧ୍ୟ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ରବିବାର ରାତିରେ ଆସିଥିବା ରିପୋର୍ଟରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପୂର୍ବରୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଜିତେନ୍ଦ୍ର ଆହାଦ ମଧ୍ୟ କୋଭିଡ -୧୯ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ ଦୁଇ ସପ୍ତାହରୁ ଅଧିକ ସମୟ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ବର୍ତ୍ତମାନ ସେ ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ଅଶୋକ ଚୌହାନ ନନ୍ଦେଡରେ ଥିଲେ ହେଲେ କରୋନା ପଜେଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି।
ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରର କୋଭିଡ -୧୯ ର ୩,୦୪୨ ଟି ନୂତନ କରୋନା ରୋଗୀ ରାଜ୍ୟରେ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା 50 ହଜାର ଅତିକ୍ରମ କରିଛି। ଏହା ସହ ମହାମାରୀ କରୋନା ଯୋଗୁଁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୬୩୫ କୁ ବୃଦ୍ଧି ପାଇଛି।
ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ମୋଟ ମାମଲା ବର୍ତ୍ତମାନ ୫୦,୨୩୧ ରେ ପହଞ୍ଚିଛି। ବର୍ତ୍ତମାନ ୩୩,୯୮୮ ରୋଗୀ ଚିକିତ୍ସିତ ହେଉଛନ୍ତି। ଗତକାଲି ରାଜ୍ୟରେ ୧,୧୯୬ ଜଣ ରୋଗୀ ସୁସ୍ଥ ହେବା ପରେ କରୋନା ଜୀବାଣୁ କବଳରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୧୪,୬୦୦ କୁ ବୃଦ୍ଧି ପାଇଛି।