କିମ୍‍ସ କୋଭିଡ୍‍ ହସ୍ପିଟାଲରେ କରୋନା ଆକ୍ରାନ୍ତ ପ୍ରସୂତିଙ୍କ ସନ୍ତାନ ଜନ୍ମ

ଭୁବନେଶ୍ୱର, ୪।୬: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କିମ୍‍ସର ସ୍ୱତନ୍ତ୍ର କୋଭଡି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଫଳ ଚିକିତ୍ସା କରାଯିବା ସହ ଏଠାକାର ଡାକ୍ତରମାନେ କରୋନା ଆକ୍ରାନ୍ତ ପ୍ରସୂତିଙ୍କ ସଫଳ ପ୍ରସବ କରାଇପାରିଛନ୍ତି । ନିକଟରେ କରୋନା ହସ୍ପିଟାଲରେ ଚିକିତ୍ସିତ କେତେକ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳା ମଧ୍ୟ ସୁସ୍ଥ ହୋଇ ଫେରିଛନ୍ତି । ଏବେ କିମ୍‍ସ କୋଭିଡ୍‍ ହସ୍‍ପିଟାଲ୍‍ର ଡାକ୍ତରମାନେ ଜଣେ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇବାରେ ସଫଳ ହୋଇଛନ୍ତି । ମେ ୩୦ ତାରିଖରେ ବାହାର ରାଜ୍ୟରୁ ଆସି କ୍ୱାରେଣ୍ଟାଇନ୍‍ ସେଣ୍ଟରରେ ଥିବା ଜଣେ ଗର୍ଭବତୀ ମହିଳା କରୋନା ସଂକ୍ରମିତ ଜଣାପଡ଼ିବା ପରେ କିମ୍‍ସ କୋଭିଡ୍‍ ହସ୍‍ପିଟାଲ୍‍କୁ ସ୍ଥାନାନ୍ତରିତ ହୋଇଥିଲେ । ଜୁନ୍‍ ୨୧ ତାରିଖ ମଧ୍ୟରେ ତାଙ୍କର ପ୍ରସବ ହେବ ବୋଲି ତାଙ୍କୁ ଡାକ୍ତର ସମୟ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି କିମ୍‍ସରେ ନମୂନାନେଗେଟିଭ୍‍ ଆସିବା ପର୍ଯ୍ୟନ୍ତ ତାଙ୍କର ପ୍ରସବକୁ ସ୍ଥଗିତ କରିବା ପାଇଁ ଡାକ୍ତରମାନେ ଯୋଜନା କରିଥିଲେ ।

ତେବେ ଏହା ପୂର୍ବରୁ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେଲେ ସେଥିପାଇଁ କିମ୍‍ସ କୋଭିଡ୍‍ ହସ୍ପିଟାଲରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା । ଜୁନ୍‍ ୧ ତାରିଖରେ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କର ପ୍ରସବ କରାଇବା ପାଇଁ କିମ୍‍ସ କୋଭିଡ୍‍ ହସ୍‍ପିଟାଲ୍‍ର ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ । ତାଙ୍କର ପ୍ରଥମ ପ୍ରସବ ଅସ୍ତ୍ରୋପଚାର ମାଧ୍ୟମରେ ହୋଇଥିଲା । ଏବେ ସେ କରୋନା ଆକ୍ରାନ୍ତ ଥିବାରୁ ତାଙ୍କୁ ସାଧାରଣ ପ୍ରସବ କରାଇବା ବିପଦପୂର୍ଣ୍ଣ ଥିଲେ ମଧ୍ୟ ଏଥିରେ ଡାକ୍ତରମାନେ ସଫଳ ହୋଇଛନ୍ତି । ବର୍ତ୍ତମାନ ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍‍ସ କୋଭିଡ-୍‍ ୧୯ ହସ୍‍ପିଟାଲ୍‍ ଓ କିମ୍‍ସ ଡାକ୍ତର ଓ ନର୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତ ।