ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ, ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୦/୬ : କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଆଗାମୀ କିଛି ସପ୍ତାହ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହି ସମୟରେ ସମନ୍ବିତ ପର୍ଯ୍ୟବେକ୍ଷଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟରେ କୋଭିଡ ପରିଚାଳନା ସଂକ୍ରାନ୍ତୀୟ ଏକ ବୈଷୟିକ କର୍ମଶାଳାରେ ଯୋଗଦେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ସିଡିଏମଓ, ବିଭିନ୍ନ ମେଡିକାଲ କଲେଜର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ, ବିଭିନ୍ନ କୋଭିଡ ହସ୍ପିଟାଲର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସମୟରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କର ବ୍ୟକ୍ତିଗତ ସ୍ବାସ୍ଥ୍ୟ ନିରାପତ୍ତା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍ କରିବା ଏବଂ ସୁସ୍ଥତା ହାର ବୃଦ୍ଧି କରିବାରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆଗକୁ ମୌସୁମି ବର୍ଷା ଆରମ୍ଭ ହେବାକୁ ଯାଉଛି। ମୌସୁମି ଋତୁରେ ବିଭିନ୍ନ ସଂକ୍ରାମକ ରୋଗ ହୋଇଥାଏ। ତେଣୁ କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଆଗାମୀ କେତେକ ସପ୍ତାହ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗ ସାରା ରାଜ୍ୟରେ ଘରକୁ ଘର ବୁଲି ସକ୍ରିୟ କୋଭିଡ ପରିସ୍ଥିତି ପର୍ଯ୍ୟବେକ୍ଷଣ କରିବା ସହିତ ଗୁରୁତର ରୋଗୀ, ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସଂପର୍କରେ ମଧ୍ୟ ପର୍ଯ୍ୟବେକ୍ଷଣ କରିବା ପାଇଁ ସମନ୍ବିତ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।