ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ରାଜକନିକା ପୋଲିସ ଏଏସଆଇ

କେନ୍ଦ୍ରାପଡ଼ା,୩ /୯ – (କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଗୋକର୍ଣ୍ଣିକା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜୁନ ମାସର ଏହି ଗଣ୍ଡଗୋଳ ନେଇ ଦୁଇ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ରାଜକନିକା ପୋଲିସ ଦୁଇଟି ମାମଲା ରୁଜୁ କରିଥିଲା । ତଦନୁଯାୟୀ ଗୋଟିଏ ପକ୍ଷ ଅଭିଯୁକ୍ତମାନଙ୍କୁ ଜାମିନୀ ମିଳିସାରିଛି । ମାତ୍ର ଅନ୍ୟ ପକ୍ଷରୁ ଜଣେ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇ ଥିଲେବି କଡା ଦଫା ପାଇଁ ଜାମିନୀ ନା ମଞ୍ଜୁରୀ ହେଉଛି । ସେହି ପକ୍ଷର କଲେଜ ପଢୁଆ ପୁତୁରାଙ୍କ ନାମ ବାଦ ଓ ଦଫା କୋହଳପାଇଁ ସମ୍ପୃକ୍ତ କେଶ ନଂ 123/20ର ତଦନ୍ତ କାରି ଅଧିକାରୀ ପୋଲିସ ଏଏସଆଇ ବୈଷ୍ଣବ ଚରଣ ବେହେରା ଦିବାକର ସେଠିଙ୍କ ଠାରୁ ୫୦୦୦ /- ଦାବିକରିଥିଲେ ।

ତଦନୁଯାୟୀ ଦିବାକର ବୁଧବାର ଦିନ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ କଟକ ଭିଜିଲାନ୍ସ ପୋଲିସ କେଶ ନଂ ୨୧ / 02.09.20. ରୁଜୁ କରି ଅଭିଯୋଗ କାରୀଙ୍କୁ କେମିକାଲ ବୋଳା ଟଙ୍କା ଦେଇ ଲାଞ୍ଚ ଖୋର ପୋଲିସକୁ ଧରିବାକୁ ଜାଲ ବିଛାଇ ଥିଲେ । ପରବର୍ତ୍ତୀ ଦିନ ଦିବାକର ଲାଞ୍ଚୁଆ ଅଧିକାରୀ ଶ୍ରୀଯୁକ୍ତ ବେହେରାଙ୍କୁ ଚୁକ୍ତି ମୁତାବଜ ଥାନା ପରିସରରେ ଟଙ୍କା ଦେଇ ଥିଲେ । ଅନତି ଦୂରରେ ଥିବା କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାରାୟଣ ରାୟଗୁରୁ ଲାଞ୍ଚୁଆ ଅଧିକାରୀଙ୍କୁ କାବୁ କରିବା ସହିତ କେମିକାଲ ଟଙ୍କା ଜବତ କରି ଥିବାର ଜଣାପଡିଛି ।