ନବ ବଧୂର ମୃତ୍ୟୁ : ମାରି ଦେଇ ବିଷ ପିଆଇ ଆତ୍ମହତ୍ୟାର ରୂପ ଦେଉଛନ୍ତି ଶାଶୁ ଘର ଲୋକେ
ମୃତ୍ୟୁ ଅଭିଯୋଗର ଦୁଇ ଦିନ ପରେ ସାଇଣ୍ଟିଫିକ ଟିମର ତନାଘନା
ମହାକାଳପଡ଼ା, ୨୦/୦୯ : ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ଅଧୀନ କରଞ୍ଜ ଗ୍ରାମର ପ୍ରସନ୍ନ ଭୋଳଙ୍କ ସାନ ପୁଅ ନିଗମ ଭୋଳ ୨୦୨୩ରେ ପଡୋଶୀ ଉମେଶ ଦାସଙ୍କ ଝିଅ ଶୁଭଶ୍ରୀ ଦାସଙ୍କୁ ଭଲ ପାଇ ଉଠାଇ ନେଇଥିଲେ l ସେ ସମୟରେ ଝିଅ ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଥିଲା, ଏବଂ ଭଦ୍ରଲୋକ ହସ୍ତକ୍ଷେପରୁ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ନବଦମ୍ପତିଙ୍କର ମଙ୍ଗଳକୁ ଆଖି ଆଗରେ ରଖି ଏକ ବଣ୍ଡ ପେପର ରେ ଲିଖିତ ରଖି ବିବାହ ପାଇଁ ସ୍ଥିର ହୋଇଥିଲା l ଶାଶୁ ଘର ଲୋକଙ୍କ ଅନିଚ୍ଛା ସତ୍ୱେ ନିଗମ ଭୋଳ ଶୁଭଶ୍ରୀଙ୍କୁ ବିବାହ କରି ଘରେ ରଖିଥିଲେ l କିନ୍ତୁ ଶାଶୁ ଘର ଲୋକ ମିଳିମିଶି ସାନ ବୋହୁ କୁ ଯୌତୁକ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦିଅନ୍ତି ବୋଲି ବାପ ଘର ଲୋକେ ଗଣମାଧ୍ୟମକୁ କହିଛନ୍ତି l
ମାତ୍ର ଗୁରୁବାର ସନ୍ଧ୍ୟା ରେ ଶୁଭଶ୍ରୀ ମାଡ଼ ମାରୁଥିବାର ଫୋନ ଯୋଗେ ବାପା ଉମେଶ କହିଥିଲେ l ଅଳ୍ପ ସମୟ କଥା ହେବାପରେ ଫୋନ କଟିଯାଇଥିଲା l ମାତ୍ର ଉମେଶ ଅଳ୍ପ କେତେ ସମୟ ପରେ ଶାଶୁ ଘରେ ପହଂଚି ସଂଗୀନ ପରିସ୍ଥିତି ର ସମ୍ମୁଖୀନ ହୋଇଥିଲେ l ନିରବ ନିଶ୍ଚଳ ହୋଇ ପଡ଼ିଥିବା ଝିଅକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l ମରିଯାଇଥିବାର ସନ୍ଦେହ କରିବାରୁ ଶାଶୁ ଘର ଲୋକେ ତୁମ ଝିଅ ବିଷ ପିଇ ଦେଇଛି ବୋଲି ଉମେଶକୁ କହିଥିଲେ l ଶାଶୁ ଘର ଲୋକେ ପ୍ରଭାବ ଶାଳୀ ହୋଇଥିବାରୁ ନିରୀହ ଗରିବ ଉମେଶ ସେଠୁ ଖସି ଆସି ପତ୍ନୀ ମନୋରମା ଜ୍ଞାତି ଲୋକଙ୍କୁ ସାଥିରେ ବିଳମ୍ବିତ ରାତ୍ରିରେ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ରେ ଶ୍ୱଶୁର ପ୍ରସନ୍ନ,ଶାଶୁ ମଞ୍ଜୁଲତା ଦେଡଶୁର ପ୍ରଭାକର ଓ ଜ୍ୱାଇଁ ନିଗମ ମିଳିମିଶି ଝିଅ କୁ ମାରିଦେଇଥିବାର ଉଲ୍ଲେଖ କରିଛନ୍ତି l
ସେପଟେ ଶାଶୁ ଘର ଲୋକେ ଝିଅ କୁ ମାଟିଦେଇ ଦୋଷ ଲୁଚାଇବାକୁ ପାର ଲୋକଙ୍କ ଜରିଆରେ ମେଡିକାଲ ନେବାରୁ ଡାକ୍ତର ଶୁଭଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ l ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ମାମଲା ୩୯୩/୨୬ମୂଳେ ମାମଲା ରୁଜୁ କରି ଜ୍ୱାଇଁ ନିଗମ କୁ ଅଟକ ରଖି ପଚରା ଉଚରା କରୁଛି l ମାମଲା ରୁଜୁ କରି ଥିଲେ ବି ତୃତୀୟ ଦିନ ସୁଦ୍ଧା ଗିରଫ ଏକ ରେ ସୀମିତ ରଖି ମାର୍ଶାଘାଈ ପୋଲିସ ସାଇଣ୍ଟିଫିକ ଟିମ କୁ ସାଥିରେ ଧରି କରଞ୍ଜ ରେ ପହଞ୍ଚି ଘଟଣାର ସତ୍ୟାସତ୍ୟ ପରଖିଛନ୍ତି l ଥାନାକୁ ଅଭିଯୋଗ ଦାଖଲ କରିବାକୁ ଯିବା ବାଟରେ ଜ୍ୱାଇଁଙ୍କ ପକ୍ଷର ସହଯୋଗୀ ଲୋକେ ଧମକାଇବା ସହିତ ଅଭିଯୋଗ ନ ଦେବାକୁ କହିଥିଲେ l ଏନେଇ ବାପଘର ଲୋକେ ଭୟଭୀତ ରେ ଥାଇ ଏତଲା ଦେଇଛନ୍ତି, ମାତ୍ର ନିଜର ଜ୍ଞାତି କୁଟୁମ୍ବଙ୍କ ସୁରକ୍ଷା ନେଇ ପ୍ରଶାସନକୁ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍ତି l ପ୍ରକୃତ ଦୋଷୀକୁ ଦଣ୍ଡ ମିଳିବା ସହିତ ପ୍ରଶାସନ ଉଚିତ ନ୍ୟାୟ ପ୍ରଦାନ କରିବା ହେଲେ ଝିଅ ର ଆତ୍ମାକୁ ଶାନ୍ତି ମିଳିବ ବୋଲି ପରିବାର ଲୋକେ କହନ୍ତି l