ଋଷର ମଧ୍ୟସ୍ଥତାରେ ଯୁଦ୍ଧ ବିରତି ପାଇଁ ଆର୍ମେନିଆ ଓ ଅଜରବୈଜାନ ରାଜି, ଆଜି ରାତି ୧୨ଟାରୁ ଯୁଦ୍ଧ ବିରାମ ଲାଗୁ

ମସ୍କୋ, ୧୦/୧୧ : ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସଙ୍ଘର୍ଷରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟସ୍ଥତାରେ ଦୁଇଦେଶ ସଙ୍ଘର୍ଷ ବିରାମ ନେଇ ରାଜି ହୋଇଛନ୍ତି । ମଙ୍ଗଳବାର ମଧ୍ୟରାତ୍ରରୁ ଏହି ଯୁଦ୍ଧ ବିରାମ ଲାଗୁ ହେବ ।

ପୁଟିନ୍ ମଙ୍ଗଳବାର ଏକ ବୟାନ ଜାରି କରି କହିଛନ୍ତି ଯେ, ଋଷ ସେନା ଯୁଦ୍ଧ ବିରାମ ଉପରେ ନଜର ରଖିବ । ଏଥିପାଇଁ ନାଗୋନ୍ନୋ-କାରାବାଖ ଅଞ୍ଚଳରେ ଋଷ ଶାନ୍ତିସେନା ମୁତୟନ କରିଛି । ନଭେମ୍ବର ୧୦ ରାତି ୧୨ଟାରୁ ଏହି ଯୁଦ୍ଧ ବିରାମ ଲାଗୁ ହେବ । ଏହି ପଦକ୍ଷେପ ନାଗୋନ୍ନୋ-କାରାବାଖ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବ ବୋଲି ପୁଟିନ ଆଶା ରଖିଛନ୍ତି ।

ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ୍ ପାଶିନୟାନ୍ କହିଛନ୍ତି ଯେ, ସେ ଯୁଦ୍ଧ ବିରାମ ନିର୍ଦ୍ଦେଶ ଲାଗୁ କରିବା ପାଇଁ ନିଜ ସୈନିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଋଷ ଓ ଅଜରବୈଜାନ ସହ ସଙ୍ଘର୍ଷ ବିରାମ ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ଏହା ତାଙ୍କ ପାଇଁ ଦୁଃଖଦାୟକ ହେଲେ ମଧ୍ୟ ଲୋକଙ୍କ ଜୀବନକୁ ନଜରରେ ରଖି ସେ ରାଜିନାମାରେ ସ୍ୱାକ୍ଷର କରିଛନ୍ତି ।

ଯୁଦ୍ଧ ବିରାମ ରାଜିନାମା ସ୍ୱାକ୍ଷରିତ ହେବା ପୂର୍ବରୁ ଅଜରବୈଜାନର ସେନା ନାଗୋନ୍ନୋ-କାରାବାଖର ଏକ ଗୁରୁତ୍ୱପୂର୍ଣ୍ଣ ସହର ଶୁସି ଉପରେ କବଜା କରି ନେଇଛନ୍ତି । ଏହାସହ ନାଗୋନ୍ନୋକୁ କବଜା କରିବା ପାଇଁ ମଧ୍ୟ ସୈନ୍ୟମାନେ ଆଗକୁ ବଢିଛନ୍ତି । ଏହାକୁ ନେଇ ଦେଶର ରାଷ୍ଟ୍ରପତି ଇଲହାମ ଅଲିୟେଭ୍ କହିଛନ୍ତି ଯେ, ଦେଶର ଆଉ ଏକ ଅଂଶ ଫେରି ଆସିଛି ।

ସୂଚନାଯୋଗ୍ୟ, ସୋଭିଏତ ସଙ୍ଘର ପତନ ପରେ ୧୯୯୧ରେ ନାଗୋନ୍ନୋ-କାରାବାଖକୁ ଅଜରବୈଜାନକୁ ଦିଆଯାଇଥିଲା । ତେବେ ଏହି ଅଞ୍ଚଳରେ ଅଧିକ ସଂଖ୍ୟକ ଇସାଇ ବସବାସ କରନ୍ତି । ସେମାନେ ଅଜରବୈଜାନକୁ ବିରୋଧ କରି ସ୍ୱତନ୍ତ୍ର ଦେଶ ଗଠନ କରିଥିସେ । ଏହାପରେ ୧୯୯୪ରୁ ଆର୍ମେନିଆର ସହାୟତାର ନାଗୋନ୍ନୋ-କାରାବାଖରେ ସ୍ୱାୟତ୍ତ ଶାସନ ଚାଲିଛି ।