ଇଂଲଣ୍ଡର ପୂର୍ବତନ କ୍ୟାପଟେନ ବାଛିଲେ ନିଜର ଆଇପିଏଲ ୨୦୨୦ ଟିମ୍, ଦଳରେ ନାହାନ୍ତି ବିରାଟ ଓ ରୋହିତ

ନୂଆଦିଲ୍ଲୀ, ୧୩/୧୧: ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ନିକଟରେ ଶେଷ ହୋଇଥିବା ଆଇପିଏଲ ୨୦୨୦ ପାଇଁ ନିଜର ଟିମ ଗଠନ କରିଛନ୍ତି। ଦୁବାଇରେ ଖେଳାଯାଇଥିବା ଆଇପିଏଲର ୧୩ତମ ସଂସ୍କରଣର ସମାପ୍ତ ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ଆଇପିଏଲ ୨୦୨୦ର ଖେଳାଳି ଏକାଦଶ ପ୍ରସ୍ତୁତ କରିଛନ୍ତି। ଏହି ଖେଳାଳି ଏକାଦଶରେ ନାସିର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସ୍ଥାନ ଦେଇ ନାହାନ୍ତି। ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଚମ ଥର ଆଇପିଏଲ ଜିତାଇଥିବା ଅଧିନାୟକ ରୋହିତ ଶର୍ମା ଏହି ଏକାଦଶରେ ନରହିବା ସମସ୍ତଙ୍କୁ ଚକିତ କରିଛି। ନାସିର ନିଜର ଟିମ୍‌ରେ ଓପନର ଭାବେ କିଙ୍ଗ୍ସ ଏକାଦଶ ପଞ୍ଜାବର ଲୋକେଶ ରାହୁଲ ଓ ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାଓ୍ଵନଙ୍କୁ ଚୟନ କରିଛନ୍ତି।

ନାସିର ନିଜର ଆଇପିଏଲ ୨୦୨୦ ଟିମ୍‌ର ଅଧିନାୟକ କେଏଲ ରାହୁଲଙ୍କୁ କରିଛନ୍ତି। ଯାହା ଚକିତକର ହୋଇଛି। ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ସେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରିଥିବ ବେଳେ ଚତୁର୍ଥ ଅର୍ଡର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଇଶାନ କିଷନଙ୍କୁ ଚୟନ କରିଛନ୍ତି। ସୁର୍ଯ୍ୟକୁମାର ଯାଦବଙ୍କ ଚଳିତ ଆଇପିଏଲରେ ପ୍ରଦର୍ଶନ ପ୍ରଶଂସନୀୟ ରହିଛି। ସେ ୧୬ଟି ମ୍ୟାଚ୍‌ରେ ୧୪୦ ଷ୍ଟ୍ରାଇକ୍‌ ରେଟ୍‌ରେ ୪୮୦ ରନ କରିଥିଲେ।

ନାସିର ଷଷ୍ଠ ନମ୍ବର ପାଇଁ ବ୍ୟାଟସମ୍ୟାନ ତଥା ଓ୍ଵିକେଟ୍ କିପିଂ ପଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଏବି ଡିଭିଲିୟର୍ସଙ୍କୁ ଦଳରେ ସ୍ଥାନ ଦେଇଛନ୍ତି। ଅନ୍ୟପଟେ ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ବୋଲର ଭାବେ ଜୋଫ୍ରା ଆର୍ଚର, ରାଶିଦ ଖାନ, କାଗିସୋ ରାବଡା, ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ସାମିଲ କରାଯାଇଛି।

ନାସିର ହୁସେନଙ୍କ ଆଇପିଏଲ ୨୦୨୦ର ଟିମ୍

କେଏଲ ରାହୁଲ(ଅଧିନାୟକ), ଶିଖର ଧାଓ୍ଵନ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ଏବି ଡିଭିଲିୟର୍ସ(ଓ୍ଵିକେଟ୍ କିପର) ହାର୍ଦ୍ଦିକ ପାଣ୍ଡ୍ୟା, ଜୋଫ୍ରା ଆର୍ଚର, ରାଶିଦ ଖାନ, କାଗିସୋ ରାବଡା, ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ।