ପଶ୍ଚିମବଙ୍ଗରେ ମମତାଙ୍କ ଆଗରେ ଫେଲ୍ ମାରିଲା ମୋଦୀ-ଶାହାଙ୍କ ରଣନୀତି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବହୁମତ ସହ କ୍ରମାଗତ ତୃତୀୟ ଥର ସରକାର ଗଢିବାକୁ ଯାଉଛି। ହେଲେ ଟିଏମସି ପ୍ରମୁଖ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଆସନରେ ପରାଜିତ ହୋଇଛନ୍ତି। ବିଜେପି ଦାବି କରିଥିଲା ଯେ, ଦଳ ୨୦୦ରୁ ଅଧିକ ଆସନରେ ବିଜୟୀ ହେବ। କିନ୍ତୁ ମୋଦୀଙ୍କ ଛବି ଏବଂ ନିର୍ବାଚନର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହାଙ୍କ ରଣନୀତି ଫେଲ୍ ମାରିଛି। ଏମିତିରେ ପ୍ରଶ୍ନ ଉଠୁଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କଠୁ ନେଇ ମାଳ ମାଳ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଚାର ସତ୍ତ୍ଵେ ବି ଦଳ ଟିଏମସିଠୁ ବହୁତ ପଛରେ ରହି ଯାଇଛି। ହେଲେ ବିଜେପି ହାରିବା ପଛରେ ମୁଖ୍ୟ କାରଣ ଗୁଡିକ ହେଉଛି ।

ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ନିଜର ପ୍ରତିଟି ରାଲି ଓ ସଭାରେ ଜୟ ଶ୍ରୀରାମ ନାରା ଦେଇ ବିବାଦକୁ ପ୍ରସଙ୍ଗ କରି ଚାଲିଥିଲା। ଏଥିରେ ତୃଣମୂଳ ମଧ୍ୟ ପଛରେ ନଥିଲା। ମମତା ବାନାର୍ଜୀ ସର୍ବ ପ୍ରଥମେ ସାର୍ବଜନୀନ ମଞ୍ଚରେ ଚଣ୍ଡିପାଠ କରିଥିଲେ, ପୁଣି ନିଜର ଗୋତ୍ର ମଧ୍ୟ ସାର୍ବଜନୀନ କରିଥିଲେ। ହରେ କୃଷ୍ଣ ହରେ ରାମ ମଧ୍ୟ ନାରା ଦେଇଥିଲା। କୁହାଯାଉଥିଲା ପଶ୍ଚିମବଙ୍ଗର ହିନ୍ଦୁ ଭୋଟ୍‌ଙ୍କ ସମର୍ଥନ ବିଜେପିକୁ ମିଳିବ। ହେଲେ ଏହା ବିଜେପି ପାଇଁ ଓଲଟି ପଡିଛି।

ବିଜେପି ପରାଜୟର ଆଉ ଏକ ବଡ କାରଣ ହେଉଛି କୌଣସି ଭରସାଯୋଗ୍ୟ ମୁଖ୍ୟମନ୍ତ୍ରୀ ଚେହେରା ଦଳରେ ନଥିଲେ। ଅନ୍ୟପଟେ ରାଜ୍ୟବାସୀଙ୍କ ନିକଟରେ ବାନାର୍ଜୀଙ୍କ ରୂପେ ଜଣେ ଦୃଢ ମୁଖ୍ୟମନ୍ତ୍ରୀ ଚେହେରା ଥିଲେ। କେବଳ ଏତିକି ନୁହେଁ ଦଳରେ ଥିବା ଆଭ୍ୟନ୍ତରୀଣ କଳହ ଦଳର ପରାଜୟ କାରଣ ମଧ୍ୟ ପାଲଟିଛି।

ଆହୁରି ମଧ୍ୟ ଲୋକସଭା ନିର୍ବାଚନ ପରେ ବିଜେପିକୁ ରାଜ୍ୟ ଓ ତୃଣମୂଳ ସ୍ତରରେ ବଡ ଚେହେରା ଦରକାର ଥିଲା। ଏହି କାରଣରୁ ବିଜେପି ଅନ୍ୟ ଦଳଠୁ ନେତା ଆମଦାନୀ କରିବା ଆରମ୍ଭ କରି ଦେଇଥିଲା। ଏଥିରେ ସବୁଠୁ ବଡ ନାମ ଶୁଭେନ୍ଦୁ ଅଧିକାରୀ ଥିଲେ। ଦଳ ଟିଏମସିରୁ ଏତେ ନେତା ଆମଦାନୀ କଲା ଯେ ତାର ଭାର ମଧ୍ୟ ସମ୍ଭାଳି ପାରିଲାନି। ପରିଣାମସ୍ଵରୂପ ଦଳକୁ ଏହା ମହଙ୍ଗା ପଡିଲା।

ନିର୍ବାଚନରେ ବିଜେପି ଅନ୍ୟ ଦଳର ନେତାଙ୍କୁ ପାର୍ଟିରେ ସାମିଲ କରିବାରେ ଲାଗିଥିଲା। ଏଥିସହ ବ୍ୟାପକ ଭାବେ ଆମଦାନୀ ନେତାଙ୍କୁ ଟିକେଟ୍ ମଧ୍ୟ ଦେଇଥିଲା। ଏହି କାରଣରୁ ଅନେକ ନେତା ଅସନ୍ତୁଷ୍ଟ ଥିଲେ। ଟିକେଟ୍ ବଣ୍ଟାକୁ ନେଇ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଦେଖିବାକୁ ମିଳିଥିଲା। ନିଜ ନେତାଙ୍କୁ ଦଳ କଣଠେସା କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏହା ପରେ ପ୍ରାର୍ଥୀ ତାଲିକାରେ ଅନେକ ସଂଶୋଧନ କରିବାକୁ ପଡିଥିଲା।

ବିହାର ନିର୍ବାଚନ ବିଧାନସଭା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ମହିଳାଙ୍କୁ ସାଇଲେଣ୍ଟ ମତଦାତା ଦର୍ଶାଇଥିଲେ। କିନ୍ତୁ ପଶ୍ଚିମବଙ୍ଗରେ ପାର୍ଟିକୁ ଏହି ସାଇଲେଣ୍ଟ ଭୋଟରଙ୍କ ସମର୍ଥନ ମିଳିଲାହିଁ। ଏହାର କାରଣ ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କୁ ବାରମ୍ବାର ଦିଦି ଓ ଦିଦି କହି ସମ୍ବୋଧିତ କରିବା ମହିଳାଙ୍କୁ ପସନ୍ଦ ଆସିନଥିଲା।