ବ୍ଲକ କର୍ମଚାରୀଙ୍କୁ ଘରୁ ଡ଼ାକିନେଇ ହାଣିଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା,୧୩ /୫ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଓଡିଶା ଜୀବିକା ମିଶନର ବିପିଏମ ରଶ୍ମି ରଞ୍ଜନ ଦାସଙ୍କୁ ବିଳମ୍ବିତ ରାତ୍ରିରେ ଦୁବୁର୍ତ୍ତମାନେ ବାସଭବନ ବାହାରକୁ ଡାକି ନିର୍ମମ ଭାବେ ହାଣିଥିବାର ଜଣାପଡିଛି l ଏନେଇ ତାଙ୍କର ପତ୍ନୀ ରାଜନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଅନୁସନ୍ଧାନ କରିବା ସହିତ ଦୁଇ ସଂଦେହୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି l ବିପିଏମ ଶ୍ରୀ ଦାଶ ରାତ୍ରିରେ ନିଜ ଘରେ ଶୋଇଥିବା ବେଳେ ଯୋଜନା ମୁତାବକ ଦୁବୁର୍ତ୍ତମାନେ ବାହାରକୁ ଡାକି ବିଡ଼ିଓଙ୍କ ପାଖକୁ ଯିବା କଥା ଜଣାଇଥିଲେ l ମାତ୍ର ସେମାନଙ୍କ କଥାରେ ବିପିଏମ ଅମଙ୍ଗ ହେବାରୁ ଅତର୍କିତ ଆକ୍ରମଣ କରିଥିଲେ l ଶ୍ରୀଦାଶ ଜୀବନ ବିକଳରେ ଆର୍ତ୍ତ ଚିତ୍କାର କରିବାରେ ନିଜ ପରିବାର ଓ ପଡୋଶୀ ଲୋକେ ଉଠିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଛାଡି ଚlଲିଯାଇଥିଲେ l ପରିବାର ଲୋକେ ତତକ୍ଷଣାତ ରଞ୍ଜନଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରେର ଏକ ଘରୋଇ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l

ସମ୍ପୃକ୍ତ ବ୍ଲକ ବନ୍ଧପଡା ପଂଚାୟତର ଏମବିକେ ଅର୍ଥ ତୋଷର ପାତ ନେଇ ନିଲମ୍ବିତ ହୋଇଥିଲେ l ମୁଖ୍ୟତଃ ବିପିଏମ ଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏମବିକେ ନିଲମ୍ବନ ହେବା ପରେ ପ୍ରତିଶୋଧ ପରାୟଣ ହୋଇଥିଲେ l ଏହି ଅମାନବୀୟ ଘଟଣା ପଛରେ ନିଲମ୍ବିତ ଏମବିକେ ଓ ତାଙ୍କ ସ୍ୱାମୀଙ୍କର ହାତ ଥିବା ନେଇ ଗୁରୁତରଙ୍କ ପରିବାର ଲୋକେ ଅଭିଯୋଗ କରନ୍ତି l ଯାହା ନେଇ ପୋଲିସ ସଂଦେହୀ ଉଭୟ ପତି ଓ ପତ୍ନୀ ଙ୍କୁ ତଦନ୍ତ ପରିସର ଭୁକ୍ତ କରି ଥିବାର ଜଣାପଡିଛି l