ମୁମ୍ବାଇ,୩/୬ : ରିଲାଏନ୍ସ ଇଣ୍ଡଷ୍ଟ୍ରି ନିଜ କର୍ମଚାରୀଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇଛି । କରୋନାରେ ପ୍ରାଣ ହରାଇଥିବା ନିଜ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୫ ବର୍ଷ ଯାଏଁ ଦରମା ଦେବାକୁ ରିଲାଏନ୍ସ ଘୋଷଣା କରିଛି । ତାଛଡା ମୃତକଙ୍କ ଶିଶୁଙ୍କ ପାଠ ପଢା ଖର୍ଚ୍ଚ କମ୍ପାନୀ ବହନ କରିବ ।
ରିଲାଏନ୍ସ ଇଣ୍ଡଷ୍ଟ୍ରି ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ ଏକ ବୟାନ ଜାରି କରି ‘ରିଲାଏନ୍ସ ଫ୍ୟାମିଲି ସପୋର୍ଟ ଆଣ୍ଡ ୱେଲଫେୟାର ସ୍କିମ’ ଘୋଷଣା କରିଛନ୍ତି । ସେ କହିଛନ୍ତି, କରୋନା ମହାମାରୀ ସବୁଠାରୁ ଭୟାବହ ଅନୁଭୂତି ନେଇ ଆସିଛି । ମହାମାରୀ ଯୋଗୁଁ ଅନେକ ଲୋକ ଖରାପ ସମୟ ଦେଇ ଗତି କରିଛନ୍ତି । ମହାମାରୀ ଅନେକଙ୍କ ମୁହଁରୁ ହସ ଛଡେଇ ନେଇଛି । ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହିଭଳି ସ୍ଥିତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରି କରୋନାରେ ପୀଡିତ କର୍ମଚାରୀ ଓ ମୃତଙ୍କ ପରିବାର ସହ ଦୃଢତାର ସହ ଛିଡା ହୋଇଛି । ରିଲାଏନ୍ସର ଏହି ‘ଫ୍ୟାମିଲି ସପୋର୍ଟ ଆଣ୍ଡ ୱେଲଫେୟାର’ ସ୍କିମଗୁଡିକ ହେଉଛି…
୧. କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ଆଗାମୀ ୫ ବର୍ଷ ଯାଏଁ ଦରମା ମିଳିବ ।
୨. ପୀଡିତ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବ ।
୩. ମୃତ କର୍ମଚାରୀଙ୍କ ପୁଅ-ଝିଅଙ୍କ ସ୍ନାତକ ଯାଏଁ ପାଠ ପଢା ଖର୍ଚ୍ଚ କମ୍ପାନୀ ବହନ କରିବ ।
୪. ମୃତକଙ୍କ ପୁଅ-ଝିଅ ଯେକୌଣସି ସଂସ୍ଥାରେ ପଢିଲେ, ଶିକ୍ଷା ଖର୍ଚ୍ଚ, ଛାତ୍ରାବାସ ଆବାସ ଖର୍ଚ୍ଚ ଓ ସ୍ନାତକ ଯାଏଁ ପୁସ୍ତକ ଶୁଳ୍କର
୧୦୦ ପ୍ରତିଶତ ଅର୍ଥ କମ୍ପାନୀ ଦେବ ।
୫. ପୁଅ-ଝିଅଙ୍କ ଡିଗ୍ରୀ ପାଠ ସାରିବା ଯାଏଁ ସ୍ୱାମୀ-ସ୍ତ୍ରୀ, ବାପା-ମା ଓ ପିଲାଙ୍କ ପାଇଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପ୍ରିମିୟମର ୧୦୦
ପ୍ରତିଶତ ରାଶି ମଧ୍ୟ କମ୍ପାନୀ ବହନ କରିବ ।
୬. ଯେଉଁ କର୍ମଚାରୀ କରୋନାରେ ପୀଡିତ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ କରୋନାରେ ଆକ୍ରାନ୍ତ ତାହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବ ଯାଏଁ କୋଭିଡ ଲିଭ ନେଇପାରିବେ । କେବଳ ସେତିକି ନୁହେଁ ରିଲାଏନ୍ସର ସମସ୍ତ ଅଫ୍ ରୋଲ୍ କର୍ମଚାରୀଙ୍କ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦିଆଯିବ ଯେଉଁମାନେ କରୋନାରେ ପ୍ରାଣ ହରାଇଛନ୍ତି ।