ସାକ୍ଷୀଗୋପାଳ,୧୬/୧୧: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀଗୋପାଳଜିଉ ମନ୍ଦିର ସେବାୟତ ଅସନ୍ତୋଷ ପ୍ରସଙ୍ଗ ନେଇ ଉପୁଜିଥିବା ବିବାଦ ଶୁକ୍ରବାର ସମାଧାନ ହୋଇଛି। ରାତି ପାହିଲେ ଏଠାରେ ଲକ୍ଷାଧିକ ଭକ୍ତ ଏବଂ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବେ। ଏଥି ପାଇଁ ସାକ୍ଷୀଗୋପାଳ ଉତ୍ସବ ମୁଖର ହୋଇ ଉଠିଛି। ସେବାକାର୍ଯ୍ୟ ନେଇ ବିବାଦ ଦେଖାଯିବା ପରେ ଆଜି ବିଧାୟକ ଓ ଜିଲ୍ଲାପାଳଙ୍କ ସହିତ ସେବାୟତମାନେ ଆଲୋଚନା କରିଛନ୍ତି। ବୈଠକରେ ପାଉଣା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସେବାୟତମାନଙ୍କୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ କାର୍ଯ୍ୟରେ ଯୋଗଦେଇଛନ୍ତି।
ବୈଠକରେ ମନ୍ଦିର ଦର୍ଶନ ପାଇଁ ପାସ୍ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଏହି ଆଧାରରେ ସେବାୟତମାନଙ୍କୁ ୧୨୦୦ ଟୋକନ୍ ଦିଆଯିବାକୁ ଥିବା ବେଳେ ପ୍ରଶାସନକୁ ୩୦୦ ଟୋକନ୍ ମିଳିବ। ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯିବ। ସେହିଭଳି ସ୍ୱେଚ୍ଛାସେବୀ ସଂଗଠନର କର୍ମଚାରୀମାନେ ଭକ୍ତଙ୍କ ଦର୍ଶନରେ ସହଯୋଗ କରିବେ। ଐତିହାସିକ ସାକ୍ଷୀଗୋପାଳ ମନ୍ଦିରରେ ଏଥର ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କ ପାଦ ସ୍ପର୍ଶ କରିପାରିବେ ନାହିଁ। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପିତ୍ତି ନିଆଯାଇଛି।