ଭୁବନେଶ୍ୱର, ୨/୭ : (ସମୀର କର) : ଗତକାଲି ଦୈନିକ ଖବର କାଗଜ ସମ୍ବାଦରେ ପ୍ରକାଶିତ ଆମ ଘରର ହାଲଚାଲ ସ୍ତମ୍ଭରେ ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି ଶୀର୍ଷକ ଲେଖାଟି ଲେଖି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି । ଏହି ଲେଖା ମାଧ୍ୟମରେ ସେ ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ରାଜ୍ୟର ଶାସନ ଭାର ସମ୍ଭାଳୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ବିଜୁ ଜନତା ଦଳର ଗୁମର ପଦାରେ ପକାଇଛନ୍ତି । ବିଜେଡିର ଉପ ସଭାପତି ତଥା ବିଧାୟକ ଥିବା ଶ୍ରୀ ପଟ୍ଟନାୟକଙ୍କୁ ଏହି ନିକଟରେ ଦଳ ପକ୍ଷରୁ ୭ ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦଳରେ ଏତେ ଗୁରୁତ୍ୱ ପାଇଥିବା ଶ୍ରୀ ପଟ୍ଟନାୟକ ଯେ ଏପରି ଏକ ଲେଖା ଲେଖି ଦଳ ମୁଖିଆଙ୍କୁ ଅଡୁଆରେ ପକାଇବେ ତାହା ଦଳୀୟ ମହଲରେ ବିସ୍ମୟ ସୃଷ୍ଟି କରିଛି । ସେ ଏପରି ଲେଖା ସମ୍ବାଦର ସମ୍ପାଦକ ହିସାବରେ ଯଦିଓ ଲେଖିଛନ୍ତି ତଥାପି ଏହା ବିଜେଡି ତଣ୍ଟିରେ କଣ୍ଟା ସଦୃଶ୍ୟ ହୋଇଛି । ଯାହା ବିରୋଧୀ ପାଇଁ ପାଲଟିଛି ଅମୋଘ ଅସ୍ତ୍ର । ଏହାକୁ ନେଇ ରାଜନୈତିକ ମହଲରେ ପ୍ରକାଶ ପାଇଛି ନାନା କଳ୍ପନା ଜଳ୍ପନା । କେହି ଏହାକୁ ସମ୍ବାଦ ପତ୍ରର ନିରପେକ୍ଷତାର ପ୍ରମାଣ ଦେବା କଥା କହୁଥିବା ବେଳେ ଆଉ କେହି ଶ୍ରୀ ପଟ୍ଟନାୟକ ଏକ ବିକଳ୍ପ ରାଜନୈତିକ ମଞ୍ଚ କଥା ଚିନ୍ତା କରି ଏପରି ଲେଖିଥାଇ ପାରନ୍ତି ବୋଲି କହୁଛନ୍ତି ।
ରାଜ୍ୟରେ ସାହିତ୍ୟ ହେଉକି ରକ୍ତଦାନ, ରାଜନୀତି ହେଉକି ସିନେମା, ଗଣମାଧ୍ୟମ ହେଉକି ରଙ୍ଗମଞ୍ଚ ସବୁଥିରେ ପାରଦର୍ଶିତା ଲାଭ କରିଥିବା ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ ଓ ତାଙ୍କର ଆଗ ଧାଡିର ଦୁଇ ଦୁଇଟି ଗଣମାଧ୍ୟମ ସଂସ୍ଥା ଦୈନିକ ଖବର କାଗଜ ସମ୍ବାଦ ଓ କନକ ଭଳି ଏକ ନିୟୁଜ ଚ୍ୟାନେଲ ମଧ୍ୟ ରହିଛି । ଯାହା ତାଙ୍କର ମୁଖ୍ୟ ଆୟୁଧ । ଖାଲି ସେତିକି ନୁହେଁ ରାଜନୀତିରେ ରୁଚି ରଖୁଥିବା ସୌମ୍ୟରଞ୍ଜନ ପ୍ରଥମେ କଂଗ୍ରେସ ଟିକେଟରୁ ଥରେ ସାଂସଦ, ପରେ ଆମ ଓଡିଶା ନାଁରେ ଏକ ରାଜନୈତିକ ଦଳ ଗଢିବା, ଶେଷରେ ବିଜୁଜନତା ଦଳରୁ ପ୍ରଥମେ ରାଜ୍ୟସଭା ସାଂସଦ ଓ ବର୍ତ୍ତମାନ ଖଣ୍ଡପଡାର ବିଧାୟକ ଅଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀର ବହୁ ଅନାଲୋଚିତ ଦିଗକୁ ପଦାକୁ ଆଣିବା ସହିତ ଦଳରେ ଯେ ସବୁକିଛି ଠିକ୍ ନାହିଁ ତାହାର ବାର୍ତ୍ତା ସାଧାରଣରେ ବାଣ୍ଟିଛନ୍ତି । ଯାହାକୁ ନେଇ ବିଜୁ ଜନତା ଦଳରେ ଭୂକମ୍ପ ହୋଇଛି । କେହି ତାଙ୍କ ଉପରେ ଦଳ ପ୍ରଫୁଲ୍ଲ ଘଡାଇ, ଦାମୋଦର ରାଉତଙ୍କ ଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା କଥା କହୁଥିବା ବେଳେ, ଆଉ କେହି ମନ୍ତ୍ରୀ ପଦ ଦେଇ ଦଳ ତାଙ୍କ ଅସନ୍ତୋଷକୁ ପ୍ରଶମିତ କରିବା କଥା କହୁଛନ୍ତି । ଦଳ ମନ୍ତ୍ରୀ ପଦ ଦେଉ କି ନେଉ କାର୍ଯ୍ୟାନୁଷ୍ଠାନ, ହେଲେ ଏଥିରେ ସୌମ୍ୟଙ୍କ ଦୈତ୍ୟ ଲାଭ । ଗଙ୍ଗା କହିଲେ ଥିବି ଗାଙ୍ଗି କହିଲେ ଯିବି । ଯଦି ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଏ ତେବେ ସେ ବିଜୁଜନତା ଦଳରେ ଦୀର୍ଘ ଦିନରୁ ଅସନ୍ତୁଷ୍ଟ ଅଣନିଶ୍ୱାସୀ ହୋଇଥିବା ବହୁ ନେତା କର୍ମୀଙ୍କ ସହିତ ଅନ୍ୟ ଦଳରୁ କ୍ଷମତାରୁ ବାହାରେ ଥିବା ନେତା କର୍ମୀଙ୍କୁ ନେଇ ଗଠନ କରିପାରନ୍ତି ଏକ ଆଞ୍ଚଳିକ ବିକଳ୍ପ ମଞ୍ଚ । ଯାହର ସେ ସନ୍ଧାନ କରି ଥାଇ ପାରନ୍ତି । ଯେଉଁ ମଞ୍ଚ ମାଧ୍ୟମରେ ରାଜ୍ୟରେ କଂଗ୍ରେସ ହେଉକି ବିଜେପି କାହା ସହିତ ଆସନ ବୁଝାବଣା କରି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କରି ପାରନ୍ତି ରଣକୌଶଳ । ସେ ଯାହା ହେଉନା କାହିଁକି ସୌମ୍ୟଙ୍କ ଏହି ଲେଖା ଯେ, ଦୀର୍ଘ ବ୍ୟବଧାନ ପରେ ରାଜ୍ୟ ରାଜନୀତିରେ ବହୁ ରାଜନୈତିକ ସମ୍ଭାବନାକୁ ଜନ୍ମ ଦେଇଛି ତାହା ନିଃସନ୍ଦେହ ।