ବେଙ୍ଗାଲୁରୁ: କରୋନା ସଂକ୍ରମଣ ଶୂନ୍ୟକୁ ନ ଆସିବା ଯାଏ କିମ୍ବା ପିଲା ଟିକା ନ ନେବା ଯାଏ ୭୬ ପ୍ରତିଶତ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ୍ ପଠାଇବାକୁ ଚାହୁଁ ନ ଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଲୋକାଲ୍ସର୍କଲ୍ସ ନାମକ ଏକ କମ୍ୟୁନିଟି ସୋସିଆଲ୍ ମିଡ଼ିଆ ପ୍ଲାଟ୍ଫର୍ମ ଦ୍ବାରା ଏହି ସର୍ଭେ କରାଯାଇଥିଲା।
ଏହି ସର୍ଭେ ସମୟରେ ପିଲାଙ୍କୁ ସ୍କୁଲ୍କୁ ଛାଡ଼ିବାକୁ ଚାହୁଁଥିବା ଅଭିଭାବକଙ୍କ ସଂଖ୍ୟା ୪ ମାସରେ ୨୯ରୁ ୨୦ ପ୍ରତିଶତକୁ କମିଯାଇଥିଲା। ତେଣୁ ସ୍କୁଲ୍ଗୁଡ଼ିକ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ନ ହେବା ଯାଏ ଅନ୍ଲାଇନ୍ କ୍ଲାସ୍ ଜାରିରଖିବେ ବୋଲି ଗବେଷକମାନେ ବିଶ୍ବାସ କରୁଛନ୍ତି। ଅଧିକାଂଶ ସହରାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳରେ ଅନ୍ଲାଇନ୍ କ୍ଲାସ୍ ଚାଲିଛି। ଅନେକ ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ୍ ଓ ନେଟ୍ୱର୍କ ପରି ସାଧନ ଅଭାବରୁ ଅନ୍ଲାଇନ୍ କ୍ଲାସ୍ ପ୍ରଭାବିତ ହୋଇଛି। ତେବେ ଭୂତାଣୁ ଭୟ ଛଡ଼ା ଅନେକ ଅଭିଭାବକ ବର୍ଦ୍ଧିତ ସ୍କୁଲ୍ ଫିସ୍କୁ ନେଇ ମଧ୍ୟ ବ୍ୟସ୍ତତା ପ୍ରକାଶ କରୁଛନ୍ତି ବୋଲି ଲୋକାଲ୍ସର୍କଲ୍ସ ପକ୍ଷରୁ କୁହାଯାଇଛି। ଅନ୍ଲାଇନ୍ କ୍ଲାସ୍ ଚାଲିଥିବା ସତ୍ତ୍ବେ ଫିସ୍ ବଢ଼ାଯାଇଥିବା ଗତ ୩୦ ଦିନ ଭିତରେ ଅନେକ ଅଭିଭାବକ ଅଭିଯୋଗ କରିଛନ୍ତି। ଭାରତର ୩୦୨ ଜିଲାରୁ ୨୬,୦୦୦ ଅଭିଭାବକ ଏହି ସର୍ଭେରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୮ ପ୍ରତିଶତ ହେଉଛନ୍ତି ମେଟ୍ରୋ ବା ନଗରାଞ୍ଚଳର। ୧୫,୯୫୦ ଜଣ ସାମଗ୍ରିକ ଫିସ୍ ଢାଞ୍ଚା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ମାତ୍ର ୧ ପ୍ରତିଶତ ଅଭିଭାବକ କହିଥିଲେ ଯେ, ତାଙ୍କ ପିଲାଙ୍କ ସ୍କୁଲ୍ ପକ୍ଷରୁ ୨୦୨୦-୨୧ ଶିକ୍ଷା ବର୍ଷରେ ୧୦-୨୦ ପ୍ରତିଶତ ଫିସ୍ ହ୍ରାସ କରାଯାଇଛି ଏବଂ ୨ ପ୍ରତିଶତ କହିଥିଲେ ଯେ ୨୦ ପ୍ରତିଶତ ଫିସ୍ ହ୍ରାସ କରାଯାଇଛି। ୨୨ ପ୍ରତିଶତ ସ୍କୁଲ୍ ଫିସ୍ ବଢ଼ାଇ ନ ଥିବା କହିଥିଲେ ଏବଂ ୧୨ ପ୍ରତିଶତ କିଛି ମତ ଦେଇ ନ ଥିଲେ।
ଶିକ୍ଷା ଏକ ରାଜ୍ୟ ବିଷୟ ହେବା ସତ୍ତ୍ବେ ରାଜ୍ୟ ସରକାରଗୁଡ଼ିକ ଘରୋଇ ବିଦ୍ୟାଳୟଗୁଡ଼ିକର ଫିସ୍ ଢାଞ୍ଚାକୁ ନିୟନ୍ତ୍ରଣ କରିବାରେ ଅକ୍ଷମ। କରୋନା ମହାମାରୀ ସମୟରେ ବି ଅନେକ ଘରୋଇ ସ୍କୁଲ୍ରେ ମନଇଚ୍ଛା ଫିସ୍ ବଢ଼ାଯାଇଥିବା ବେଳେ ସରକାର ଏହାକୁ ନିୟନ୍ତ୍ରଣ କରୁ ନ ଥିବା ପଚରାଯାଇଥିବା ୧୦,୭୩୭ ଜଣଙ୍କ ମଧ୍ୟରୁ ୬୫ ପ୍ରତିଶତ ଅଭିଭାବକ ଅଭିଯୋଗ କରିଥିଲେ। କେବଳ ୬ ପ୍ରତିଶତ କହିଥିଲେ ଯେ ରାଜ୍ୟ ସରକାର ଠିକ୍ କାମ କରୁଛନ୍ତି। ୨୩ ପ୍ରତିଶତ କହିଥିଲେ ସରକାର କିଛି ପରିମାଣରେ ଫଳପ୍ରଦ। ୪୧ ପ୍ରତିଶତ କହିଥିଲେ ଯେ ସରକାର ନିଷ୍କ୍ରିୟ। ୨୪ ପ୍ରତିଶତ କହିଥିଲେ ସରକାର କିଛି ପଦକ୍ଷେପ ନେଇ ନାହାନ୍ତି। ଆଉ ୬ ପ୍ରତିଶତ ଅଭିଭାବକ କୌଣସି ମତ ଦେଇ ନ ଥିଲେ।