ସାଧାରଣତଃ ହିନ୍ଦୁ ନାରୀ ପ୍ରତ୍ୟେକ ଗୁରୁବାର, ସଂକ୍ରାନ୍ତି, ଅନ୍ୟାନ୍ୟ ପୂଜାବିଧିରେ ଘରର ଦ୍ୱାରବନ୍ଧରେ ସିନ୍ଦୂର ଓ ଚନ୍ଦନ ଲଗାଉଥିବା ଦେଖାଯାଏ । ଦ୍ୱାରବନ୍ଧରେ କାହିଁକି ସିନ୍ଦୂର ଓ ଚନ୍ଦନ ଲଗାଯାଏ ତାହା ଅନେକ ଜାଣିନଥିବେ । ବାସ୍ତୁବିଜ୍ଞାନ ଓ ଶାସ୍ତ୍ରାନୁଯାୟୀ ଦ୍ୱାରବନ୍ଧରେ ସିନ୍ଦୂର ଓ ଚନ୍ଦନ ଲଗାଇଲେ ନକାରାତ୍ମକ ଶକ୍ତି ଗୃହମଧ୍ୟରେ ପ୍ରବେଶ କରିନଥାଏ । ଗୃହମଧ୍ୟରେ ଥିବା ବାସ୍ତୁଦୋଷକୁ ଦୂର କରିଥାଏ ବୋଲି ଦ୍ୱାରବନ୍ଧରେ ସିନ୍ଦୂର ଓ ଚନ୍ଦନ ଲଗାଯାଇଥାଏ । ସିନ୍ଦୂର ଓ ଚନ୍ଦନ ଟିକା ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ କୃପା ହେବା ସହ ପ୍ରସନ୍ନ ହୋଇଥାନ୍ତି । ସିନ୍ଦୂର ଓ ଚନ୍ଦନ ଟିକା ସହ ସୋରିଷ ତେଲ ମଧ୍ୟ କେହି କେହି ଦ୍ୱାରବନ୍ଧରେ ଲଗାଇଥାନ୍ତି । କାରଣ ସୋରିଷ ତେଲ ଶନିଙ୍କ ପ୍ରତିନିଧି ବୋଲି ଧରାଯାଇଥାଏ । ଯାହା କୁଦୃଷ୍ଟିରୁ ରକ୍ଷା କରିଥାଏ ।ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ଦ୍ୱାରବନ୍ଧରେ ସିନ୍ଦୂର ଓ ତେଲ ଲଗାଇବା ଦ୍ୱାରା ଦ୍ୱାରବନ୍ଧରେ ଲାଗିଥିବା କାଠ ବା ଲୁହା ଅଧିକ ଦିନ ଧରି ସୁରକ୍ଷିତ ରହିବାସହ ପୋକ ବା ଜଙ୍କ୍ ଖାଇନଥାଏ । ଏଥିପାଇଁ ଦ୍ୱାରବନ୍ଧରେ ସିନ୍ଦୂର ଲଗାଇବା ପରମ୍ପରା ହିନ୍ଦୁ ଶାସ୍ତ୍ରରେ ରହିଆସିଛି ।