ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେବ। ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସରକାର ସଂସଦରେ ସବୁ ପ୍ରସଙ୍ଗରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସାର୍ଥକ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବୈଠକ ବାବଦରେ ସୂଚନା ଦେଇ କହିଛନ୍ତି ଯେ ୩୩ଟି ଦଳର ୪୦ରୁ ଅଧିକ ନେତା ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ ଏବଂ ଯେଉଁ ସବୁ ପ୍ରସଙ୍ଗରେ ଆଲୋଚନା ହେବା ଉଚିତ ସେ ବାବଦରେ ପରାମର୍ଶ ଦେଇଥିଲେ। ସରକାର ନିୟମ ମୁତାବକ ଏବଂ ଉଚିତ ପ୍ରକ୍ରିୟାରେ ଫଳପ୍ରଦ ଆଲୋଚନା ଉପରେ ଗୁରୁତ୍ବାରୋପ କରିଛନ୍ତି।

ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଜୁନ ରାମ ମେଘୱାଲ, ବି ମୂରଲୀଧରନ ଏବଂ ପିୟୁଷ ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ। ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଂଗ୍ରେସ ପକ୍ଷରୁ ଅଧୀର ରଂଜନ ଚୌଧୁରୀ ଏବଂ ମଲ୍ଲିକାର୍ଜୁନ ଖାଡ଼ଗେ, ଟିଏମ୍‌ସି ନେତା ଡେରେକ୍‌ ଓ ବ୍ରାୟାନ ଏବଂ ସୁଦୀପ ବନ୍ଦୋପାଧ୍ୟାୟ, ଡିଏମ୍‌କେ ନେତା ଟି. ଶିବା, ବହୁଜନ ସମାଜ ପାର୍ଟି ନେତା ରିତେଶ ପାଣ୍ଡେ ଏବଂ ସତୀଶ ମିଶ୍ର, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ଅକାଳି ଦଳ ନେତା ହରସିମରନ କୌର ବାଦଲ, ଶିବସେନା ନେତା ସଂଜୟ ରାଉତ, ବିଜେଡି ନେତା ପିନାକୀ ମିଶ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ବିରୋଧୀ ଦଳମାନେ କୃଷି ବିଲ୍‌, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ ଉଠାଇଥିଲେ। ସରକାର ଏନ୍‌ଇଇଟିରେ ଓବିସି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରିଥିଲେ। ସରକାର ଗୃହର ନେତାମାନଙ୍କୁ କହିଥିଲେ ଯେ ୫ଟି ଅଧ୍ୟାଦେଶ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌କୁ ତାଲିକାଭୁକ୍ତ କରାଯାଇଛି। ମୋଟ ୨୯ଟି ବିଲ୍‌ ଗୃହୀତ କରାଇବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏଥିରେ ୧୭ଟି ନୂଆ ବିଲ୍‌ ରହିଛି।