କେନ୍ଦ୍ରାପଡା ଜିଲ୍ଲାରେ ଏଲିନାଙ୍କୁ ପ୍ରଥମେ ମିଳିଲା ଅନଲାଇନରେ କିନ୍ନର ପ୍ରମାଣ ଓ ପରିଚୟ ପତ୍ର

କେନ୍ଦ୍ରାପଡା, ୩୧ /୦୭ : (କେଶବ ଚରଣ ନାଥ) – କେନ୍ଦ୍ରାପଡା ଜିଲ୍ଲା ଗୋପ ଛକର ଏଲିନା ଦାସ ପି – ନିରଞ୍ଜନ କିନ୍ନର ପରିଚୟ ଓ ପ୍ରମାଣ ପତ୍ର ପାଇଁ ଅନଲାଇନରେ ଆଧାର କାର୍ଡ, ଅଫିଡେଭିଟ ଓ ରେସିଡେଣ୍ଟ ସାର୍ଟିଫିକେଟ ଆଦି ଦାଖଲ କରିଥିଲେ l କେନ୍ଦ୍ର ସରକାରଙ୍କ ସାମାଜିକନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରଣୀତ କିନ୍ନର ବ୍ୟକ୍ତିଙ୍କ ସୁରକ୍ଷା ଅଧିକାର ଅଧିନିୟମ ୨୦୨୦ ଅନୁଯାୟୀ ନିର୍ଦ୍ଧାରିତ ଫର୍ମ ନଂ -୧ ରେ ଏଲିନା ଆବେଦନ କରିଥିଲେ l ଅଧିନିୟମ ଧାରା -୬ ଅନୁଯାୟୀ ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତି ବିଭାଗର ମିଳିତ ତଦନ୍ତ ପରେ ଗୁରୁବାର ଦିନ ପୂର୍ବାହ୍ନ ରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏଲିନାଙ୍କୁ କିନ୍ନର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି l

ଜିଲ୍ଲା ସାମାଜିକ ସ୍ୱରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୁପାଲୀ ପ୍ରିୟଦର୍ଶିନୀ ଏବଂ ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଏହି ପ୍ରମାଣ ପତ୍ର ହାସଲ କରିବା ପରେ ଏଲିନା ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସୀକୃତୀ ଯୋଜନାରେ ଆବେଦନ କରିପାରିବେ l ଯୋଗ୍ୟ ବିବେଚିତ ହେଲେ ସାମାଜିକ ସୁରକ୍ଷା, ଆର୍ଥିକ ପ୍ରୋତ୍ସାହନ ପାଇପାରିବେ l. ଏହାପୂର୍ବରୁ ଜିଲ୍ଲାରେ ଚାରିଜଣ କିନ୍ନର ଅଫଲାଇନରେ ଆବେଦନ କରି ପରିଚୟ ପ୍ରମାଣ ପତ୍ର ହାସଲ କରିଛନ୍ତି l କିନ୍ନର ପରିଚୟ ଓ ପ୍ରମାଣ ପତ୍ର ହାସଲ କରିବା ନିମନ୍ତେ ଜିଲ୍ଲାର ଅନ୍ୟ କେହି ଇଛୁକ ଥିଲେ ଆବେଦନ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନୁରୋଧ କରିଥିବାର ଜଣାପଡିଛି l