କୋଲକାତା, ୩୧/୮: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛି। ନିର୍ବାଚନ ପୂର୍ବରୁ ଯେଉଁସବୁ ନେତା ବିଧାୟକ ଟିଏମସି ଛାଡି ବିଜେପିରେ ମିଶିଥିଲେ ଏବେ ସେମାନଙ୍କର ଘର ବାହୁଡା ପର୍ବ ଜାରି ରହିଛି। ଏହି କ୍ରମରେ ମଙ୍ଗଳବାର ବିଜେପିର ବିଧାୟକ ବିଶ୍ଵଜିତ୍ ଦାସ ଟିଏମସିରେ ଯୋଗ ଦେଇଛନ୍ତି। ଏହା ବ୍ୟତୀତ କର୍ପୋରେଟର ମୋନୋତେଷ ଦାସ ମଧ୍ୟ ଟିଏମସିର ସଦସ୍ୟତା ଗ୍ରହଣ କରିଛନ୍ତି।
ଏହା ପୂର୍ବରୁ ସୋମବାର ତନ୍ମୟ ଘୋଷ ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିଲେ। ସେ ବିଷ୍ଣୁପୁର ଆସନରୁ ବିଧାୟକ ଥିଲେ। ତନ୍ମୟ ଘୋଷଙ୍କ ପରି ବିଶ୍ଵଜିତ୍ ଦାସ ମଧ୍ୟ ପୂର୍ବେ ଟିଏମସିରେ ଥିଲେ। ଏବେ ପୁଣି ଥରେ ତାଙ୍କର ଘର ବାହୁଡା ହୋଇଛି। ଦାସ କହିଛନ୍ତି, ମୁଁ ବିଜେପି ଯାଇ ବଡ ଭୁଲ୍ କରିଥିଲି ଏବଂ ଦଳକୁ ଫେରିବାକୁ ଚାହୁଁଥିଲି।
ଟିଏମସି ଟିକେଟରୁ ଦୁଇ ଥର ବିଧାୟକ ହୋଇଥିବା ବିଶ୍ଵଜିତ୍ ଦାସ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ। ସେ ମୁକୁଲ ରାୟଙ୍କ ସହିତ ବିଜେପିରେ ଯୋଗ ଦେଇଥିଲେ।
ଜଣେ ପରେ ଜଣେ ବିଧାୟକ ଛାଡିବା ପରେ ବିଜେପିରେ ଏବେ ବିଧାୟକ ସଂଖ୍ୟା ୭୨କୁ ହ୍ରାସ ହୋଇଛି। ବିଧାନସଭା ନିର୍ବାଚନରେ ବିଜେପି ୭୭ ଆସନରେ ବିଜୟୀ ହୋଇଥିଲା। ହେଲେ ଫଳାଫଳ ପରଠୁ ହିଁ ଯେତେସବୁ ଟିଏମସି ନେତା ବିଜେପିରେ ଯୋଗ ଦେଇଥିଲେ, ସେମାନେ ଏବେ ବିଜେପି ପ୍ରତି ଅସନ୍ତୋଷ ବ୍ୟକ୍ତି କରି ଟିଏମସିରେ ଯୋଗ ଦେବାରୋ ଲାଗିଛନ୍ତି।