କଲ୍ୟାଣ ସିଂହଙ୍କ ଆଦର୍ଶ, ମୂଲ୍ୟବୋଧ ଏବଂ କର୍ତବ୍ୟନିଷ୍ଠା ସର୍ବଦା ପ୍ରେରଣା ହୋଇ ରହିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅଲିଗଡ଼,୧/୯: ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ କ୍ଷମତାକୁ ତ୍ୟାଗ କରିଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଆଦର୍ଶ, ତାଙ୍କର ଜୀବନ ମୂଲ୍ୟବୋଧ ଏବଂ କର୍ତବ୍ୟନିଷ୍ଠା ଆମ ସମସ୍ତ କାର୍ଯ୍ୟକର୍ତା ମାନଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଙ୍ଗଳବାର ଉତରପ୍ରଦେଶର ଅଲିଗଡ଼ ସ୍ଥିତ ବାସଭବନରେ ସ୍ୱର୍ଗତ କଲ୍ୟାଣ ସିଂହଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ରାଜନୈତିକ ଦୃଶ୍ୟପଟ୍ଟକୁ ଆଲୋକିତ କରୁଥିବା ‘ବାବୁ ଜୀ’ଙ୍କ ନିଧନ ଭାରତୀୟ ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି।
ସ୍ୱର୍ଗତ କଲ୍ୟାଣ ସିଂହ ଗରିବ, ଶୋଷିତ, ପଛୁଆ ଏବଂ ସାମାଜିକ ନ୍ୟାୟର ଆଦର୍ଶ ହେବା ବ୍ୟତିତ ବିଜେପି ସଂଗଠନ ପାଇଁ ଜଣେ ବିଶାଳ ବଟ୍ଟବୃକ୍ଷ ମଧ୍ୟ ଥିଲେ, ଯାହାଙ୍କ ଛାୟାରେ ଅସଂଖ୍ୟ କାର୍ଯ୍ୟକର୍ତା ଯୋଡ଼ି ହୋଇ ରହିଥିଲେ। ଜନସେବା ପାଇଁ ସମର୍ପିତ ‘ବାବୁ ଜୀ’ ନିଜର ରାଜନୈତିକ କୌଶଳ ଏବଂ ସଚ୍ଚୋଟ ଭାବରେ ସର୍ବଦା ସାମ୍ବିଧାନିକ ପଦର ଗାରିମା ବଢ଼ାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।